ଗଞ୍ଜାମ(ହରପ୍ରସାଦ ବିଶୋୟୀ): ବେଗୁନିଆପଡା ବ୍ଲକରେ ବିଭିନ୍ନ ପ୍ରକଳ୍ପର ମାରାଥନ ଉଦଘାଟନ ସହ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ । ବିଧାୟିକା ପ୍ରଥମେ ଷଣ୍ଢମୂଳ ପଞ୍ଚାୟତ ଗସ୍ତ କରି କଲ୍ୟାଣ ମଣ୍ଡପ ପାଇଁ ଶୁଭ ଉଦଘାଟନ କରିବା ସହ ଏକ ନୂତନ କଲ୍ୟାଣ ମଣ୍ଡପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପରେ ଏସ ଛଚିନା ପଞ୍ଚାୟତରେ ନିର୍ମିତ ବିଜୁ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କରିଛନ୍ତି ବିଧାୟିକା । ବେଗୁନିଆପଡାରେ ମଧ୍ୟ ପଞ୍ଚାୟତ କାର୍ୟ୍ୟାଳୟର ସୌନ୍ଦର୍ୟୀକରଣ, ନୂତନ ମାଛ ମାର୍କେଟ, ମର୍ଦ୍ଧରାଜ କଲ୍ୟାଣ ମଣ୍ଡପ ଏବଂ କାଣ୍ଟା ବାଳିକା ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଉଦଘାଟନ କରିଛନ୍ତି ।
ପରେ ବିଧାୟିକା ମର୍ଦ୍ଧକୋଟ ପଞ୍ଚାୟତର ଓଡନଇ ଠାରେ ରାମେଶ୍ୱର କଲ୍ୟାଣ ମଣ୍ଡପର ଉଦଘାଟନ ସହ ବିଜୁ ଜନତା ଦଳର କାର୍ୟ୍ୟାଳୟ ଉଦଘାଟନ କରିଛନ୍ତି । ଏହାପରେ ଏକ ସାଧାରଣ ସଭାରେ ଯୋଗଦେଇ ଅଞ୍ଚଳର ଉନ୍ନୟନ ମୂଳକ କାର୍ୟ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ତ୍ରିନାଥ ଭୂୟାଁଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଏବଂ ବହୁ ବିଜେଡି କର୍ମକର୍ତ୍ତା କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।