ଆଖୁ ଲୋଭରେ କୂଅରେ ପଡିଲା ଭାଲୁ

ଅନୁଗୁଳ: ଆଖୁ ଖାଇବାକୁ ଆସି ଫସିଗଲା ଭାଲୁ । କୂଅରେ ପଡି ଛଟପଟ ହେଉଛି ଭାଲୁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁର । ଗାଁର କିଛି ବ୍ୟକ୍ତି ସେହି ବାଟ ଦେଇ ଯାଉଥିବା ବେଳେ ଗର୍ଜନ ଶୂଣି କୂଅ ପାଖକୁ ଯିବାରୁ କୂଅରେ ଭାଲୁଟି ପଡିଥିବାର ଦେଖିଥିଲେ । ଗାଁ ଲୋକ ସ୍ଥାନୀୟ ଛେଣ୍ଡିପଦା ରେଞ୍ଜ ଅଧିକାରୀଙ୍କୁ ଜଣାଇବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ତୁରନ୍ତ ବନ ବିଭାଗ କର୍ମଚାରୀ ଏକ ବାଉଁଶକୁ କୂଅ ଭିତରକୁ ପକାଇଥିଲେ । ବାଉଁଶ ସାହାଯ୍ୟରେ ଭାଲୁଟିକୁ କୂଅ ଭିତରୁ ଉଦ୍ଧାର କରାଯାଇଥିବା ବନ ବିଭାଗ ସୂଚନା ଦେଇଛି । ଭାଲୁଟି ନିକଟସ୍ଥ ଜଙ୍ଗଲ ଭିତରକୁ ପଳାଇଛି । ତାକୁ ଜଙ୍ଗଲ ବିଭାଗ ନିରୀକ୍ଷଣରେ ରଖିଛି । ତେବେ ଭାଲୁଟି ଆଖୁ ଲୋଭରେ ଆସି କୂଅରେ ପଡିଯାଇଥିବା ଅନୁମାନ କରାଯାଉଛି ।