ଚଣ୍ଡିଖୋଲ: କାଳ ହେଲା ଟଙ୍କାର ନିଶା । ନିଜ ମାଆର ସ୍ନେହ ଆଗରେ ବଡ ହୋଇଗଲା ଟଙ୍କାର ଲୋଭ । ଭୁଲିଗଲା ପିଲାଦିନ, ଭୁଲିଗଲା ମାଆର କୋଳ । ସମାନ୍ୟ ଟଙ୍କା କେଇଟା ଲୋଭରେ ମାତୃହନ୍ତା ସାଜିଲା ପୁଅ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବଡଚଣା ଗାଁରେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗାଁର ଅନନ୍ତ ସାମଲଙ୍କ ପତ୍ନୀ ସୁଷମା ଘରେ ଥିବା ବେଳେ ମଦ ପିଇ ଘରକୁ ଫେରିଥିଲା ପୁଅ ରଞ୍ଜନ । ପିଇବା ପାଇଁ ବିଧବା ମାଆକୁ ମାଗିଥିଲା ଟଙ୍କା । କିନ୍ତୁ ପାଖରେ ଟଙ୍କା ନାହିଁ ବୋଲି କହିବାରୁ ଏହି କଥାରେ ରାଗି ଯାଇଥିଲା ନିଶାକ୍ତ ରଞ୍ଜନ । ରାଗକୁ ନିୟନ୍ତ୍ରଣରେ ରଖି ନପାରି ଏକ ବାଉଁଶ ଜରିଆରେ ମା ସୁଷମାଙ୍କ ମୁଣ୍ଡକୁ ଖୁବ ଜୋରରେ ପିଟି ଦେଇଥିଲା । ଏହା ଦେଖି ଅନ୍ୟ ଦୁଇ ଭାଇ ରଞ୍ଜନକୁ ଘରେ ବାନ୍ଧି ଦେଇଥିଲେ । ଏହାପରେ ଗୁରୁତର ମାଆଙ୍କୁ ନେଇ ବଡଚଣା ମେଡିକାଲରେ ଭର୍ତ୍ତି କରିଥିଲେ ଦୁଇ ପୁଅ । ତେବେ ସେତେବେଳକୁ ବହୁ ଡେରୀ ହୋଇଯାଇଥିଲା । ରଞ୍ଜନର ମାଡରେ ପ୍ରାଣ ହରାଇସାରିଥିଲେ ମାଆ ସୁଷମା ।