ଗଞ୍ଜାମ: ମାଆର ଅନ୍ୟନାମ ସ୍ନେହ, ଶ୍ରଦ୍ଧା ଆଉ ଅଜସ୍ର ଭଲପାଇବା । ସନ୍ତାନର ରକ୍ଷା ପାଇଁ ସାରା ଦୁନିଆ ସହ ଲଢିଯାଏ ମାଆ । ସବୁ ବିପଦ ସବୁ ଦୁଃଖ, କଷ୍ଟକୁ ସାମନା କରିବାକୁ ପଛାଏ ନାହିଁ ନିଜ ସନ୍ତାନ ପାଇଁ । କିନ୍ତୁ ଗଞ୍ଜାମ ଜିଲ୍ଲାରୁ ଏମିତି ଏକ ଘଟଣା ଆସିଛି ଯାହା ମାଆ ଶବ୍ଦର ସଂଜ୍ଞା ହିଁ ବଦଳାଇ ଦେଇଛି । ଜଣେ କ୍ରୋଧର ବଶବର୍ତ୍ତୀ ହୋଇ ଏମିତି କାମ କରିଛନ୍ତି ଯେ ନିଜ ସନ୍ତାନକୁ ସେ ହରାଇ ବସିଛନ୍ତି ।
ଘଟଣାଟି ହେଉଛି ଗଞ୍ଜାମ ପୋଲସରା ଥାନା ଜକର ଗାଁର । ୩ ବର୍ଷର ପୁଅକୁ ସେ ରାଗରେ ଏମିତି ଏକ ଚାପୁଡା ମାରିଛନ୍ତି ଯେଉଁଥିରେ ଛୁଆଟିର ମୃତ୍ୟୁ ହୋଇଛି । ସୁଚନା ଅନୁଯାୟୀ, ୩ ବର୍ଷର ପୁଅ ଖାଇବା ପାଇଁ ଅଳି ଅଝଟ କରିବାରୁ ରାଗରେ ଚାପୁଡାଟିଏ ମାରି ଦେଇଥିଲେ ମାଆ ମମତା । ଆଉ ଚାପୁଡା ମାଡରେ ଛୁଆଟି ପ୍ରାଣ ହରାଇଛି । ପରେ ଶାଶୁ ଓ ବାପଘର ଲୋକ ବୁଝାବଣା ଭିତରେ ଶିଶୁଟିର ଶବ ସଂସ୍କାର ବି କରିଦେଇଥିବାର ଅଭିଯୋଗ ହୋଇଛି ।