ଭୁବନେଶ୍ୱର: ଆସନ୍ତା କାଲି ଆରମ୍ଭ ହେବାକୁ ଯାଉଛି ଶୀତ ଅଧିବେଶନ । ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରକୁ ଘେରିବାକୁ ପ୍ରସ୍ତୁତ । ଏଥିସହ ଆଉ ଜଣେ ମଧ୍ୟ ସରକାରକୁ ପ୍ରଶ୍ନ ବାଣରେ ଘାଇଲା କରିବାକୁ ହୋଇଛନ୍ତି ସଜବାଜ । ପୂର୍ବତନ ବିଜେଡି ମନ୍ତ୍ରୀ ତଥା ସ୍ୱାଧୀନ ବିଧାୟ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଚର୍ଚ୍ଚା । ପ୍ରଦୀପ ସରକାରକୁ ଜନସ୍ୱାର୍ଥ ଦୃଷ୍ଟିରୁ କରିବେ ପ୍ରଶ୍ନ । ବିଭିନ୍ନ ଯୋଜନାକୁ ନେଇ ସରକାରକୁ ଘାଇଲେ କରିବେ ପ୍ରଦୀପ । ଏହା ଉପରେ ସମସ୍ତଙ୍କ ନଜର ।
ତେବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି, ପ୍ରଦୀପଙ୍କୁ ତାଙ୍କ କାର୍ଯ୍ୟ ସମ୍ପାଦନ କରିବାକୁ ଦିଆଯିବ କି ସୁଯୋଗ । ଅନ୍ୟ କୌଣସି ମାମଲାରେ ପ୍ରଦୀପଙ୍କୁ ଉଠାଇ ନେବନି ତ ପ୍ରଶାସନ । କାରଣ ଗତକାଲି ଇଡିରେ ହାଜର ହୋଇଥିଲେ ପ୍ରଦୀପ । ଦୀର୍ଘ ଦିନରୁ ମାମଲା ଥଣ୍ଡା ପଡିଥିବା ବେଳେ ପୁଣି ପ୍ରଦୀପ ତଥା ତାଙ୍କ ଝିଅଙ୍କୁ ଇଡି ସମନ କରିଛି ହାଜର ହେବାକୁ । ଉଭୟ ବାପା ଝିଅ ମଧ୍ୟ ଇଡିରେ ହାଜର ହୋଇଛନ୍ତି । ଅନ୍ୟ ପଟେ ଗତକାଲି ପ୍ରଦୀପ ବିଭିନ୍ନ ପ୍ରସଙ୍ଗରେ ସରକାରକୁ ପ୍ରଶ୍ନ କରିବାକୁ ନେଇ ବୟାନ ଦେଇଛନ୍ତି । ବୟାନ ବେଳେ ପ୍ରଦୀପଙ୍କ ସେହି ପୂର୍ବ ତେଜ, ଦମ୍ଭ ମଧ୍ୟ ଦେଖିବାକୁ ମିଳିଥିଲା । ସରକାର ଜନ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିସ୍କାର କରିଥିବା ବେଳେ ଆଜି ପ୍ରଦୀପ ଜନତାଙ୍କ ସ୍ୱାର୍ଥ ପାଇଁ ସରକାରଙ୍କୁ ପ୍ରଶ୍ନ କରିବେ ବୋଲି କହିଛନ୍ତି । ଖାଲି ଏତିକି ନୁହେଁ, ତାଙ୍କ ନାମରେ ସରକାରୀ ଦଳ ତଥା ସରକାର ଆଣିଥିବା ବିଭିନ୍ନ ମାମଲାର ତଦନ୍ତ କରିବାକୁ ଗଣମାଧ୍ୟମକୁ ଆହ୍ୱାନ ଦେଇଛନ୍ତି ।