ସାନଖେମୁଣ୍ଡି: ପୁଣି ଫେଲ ମାରିଲା ସ୍ୱାସ୍ଥ୍ୟ ବିଭାଗ ଆଉ ପ୍ରଶାସନ । ପୁଣି ଡାକ୍ତରଖାନା ଯିବା ପାଇଁ ସହାୟ ହେଲା ଖଟିଆ । ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ୬ କିଲୋମିଟର ବୁହା ହେଲେ ରୋଗୀ ମହିଳା । ଏଭଳି ଏକ ସମ୍ବେଦନଶୀଳ ଚିତ୍ର ସାମନାକୁ ଆସିଛି ଗଞ୍ଜାମ ପାତ୍ରପୁର ବ୍ଲକର କୁରୁଗଡ ଗ୍ରାମରେ ।
ନିଜ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ଏହି ଗ୍ରାମର ବାସିନ୍ଦା । ଗାଁକୁ ଖଣ୍ଡିଏ ପକ୍କା ରାସ୍ତା ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଏମିତିକି ଗାଁକୁ ବିପଦ ସମୟରେ ଆମ୍ବୁଲାନ୍ସଟିଏ ମଧ୍ୟ ପହଞ୍ଚିପାରୁନି । ଠିକ ସେହିଭଳି ଆଉ ଏକ ଘଟଣା ଏହି ଗାଁରେ ଦେଖିବାକୁ ମିଳିଛି । ରାସ ନାମକ ଜଣେ ରୋଗୀ ମହିଳା ରୋଗୀ ୬ କିଲୋମିଟର ପର୍ଯ୍ୟନ୍ତ ଭାରରେ ବୁହା ହୋଇଯାଇଥିବା ଦୃଶ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପରିହାସ କରିଛି । ଶେଷରେ ପାତ୍ରପୁର ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବଡ ମେଡିକାଲକୁ ଅଣାଯାଇଥିଲା । ମହିଳା ଜଣଙ୍କ ଅସୁସ୍ଥ ହୋଇ ପଡିବାରୁ ତାଙ୍କର ଦୁଇ ପୁଅ ସଂଜୟ ଓ ନୀରଙ୍କ ସହ ଅନ୍ୟ କିଛି ଯୁବକ ତାଙ୍କୁ ବୋହିଥିଲେ । ପରେ ଟାଟା ମ୍ୟାଜିକ୍ ଯୋଗେ ୧ କିମି ଦୂର ଆଙ୍କୁଲି ଗ୍ରାମ ପର୍ୟ୍ୟନ୍ତ ଅଣାଯାଇଥିଲା । ସେଠାରେ ଦୁଇଘଣ୍ଟା ଆଗରୁ ଜଗି ରହିଥିବା ଆମ୍ବୁଲାନ୍ସ ଯୋଗେ ରାସଙ୍କୁ ପାତ୍ରପୁର ଡାକ୍ତରଖାନାକୁ ଅଣାଯାଇଥିଲା । ଏବେ ସେ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।