ଭୁବନେଶ୍ୱରରୁ ସୁପାରୀ କିଲର ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଛି ସୁପାରୀ କିଲର । ନୟାପଲ୍ଲୀ ଥାନା ପୋଲିସର ଚଢାଉରେ ଫସିଛି ୩ଟି ଜିଲ୍ଲାର ୱ।ଣ୍ଟେଡ ସୁପାରୀ କିଲର । ଅଭିଯୁକ୍ତକୁ ଗିରଫ କରିବା ସହ ଦୁଇଟି ପିସ୍ତଲ ଏବଂ ଗୁଳି ଜବତ କରିଛି ପୋଲିସ । ତେବେ ଘଟଣାସ୍ଥଳରୁ ଆଉ ଜଣେ ଅପରାଧୀ ଫେରାର ହୋଇଯାଇଥିବା ଜଣାଯାଇଛି ।
ବ୍ୟବସାୟିକ ଶତ୍ରୁତାକୁ ନେଇ ଜଗତସିଂହପୁର ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀକୁ ସୁପାରୀ ଦିଆଯାଇଥିଲା । ତେବେ ଏ ସମ୍ପର୍କରେ ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଚଢାଉ କରିଥିଲା । ଚଢାଉ ସମୟରେ ସ୍ଥାନୀୟ ସପନେଶ୍ୱର ମନ୍ଦିର ନିକଟରୁ ଜଣଙ୍କୁ ଗିରଫ କରିଛ ପୋଲିସ । ଚଢାଉ ସମୟରେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା ଅଭିଯୁକ୍ତ । ତେବେ ଏସବୁ ସତ୍ତେ୍ୱ ପୋଲିସ ଅପରାଧୀକୁ ଗିରଫ କରିବାରେ ସଫଳ ହୋଇଥିଲା । ଏଥିସହ କିଲର ନିକଟରୁ ପୋଲିସ ଦୁଇଟି ପିସ୍ତଲ ଏବଂ ଗୁଳି ଜବତ କରିଛି । ତେବେ ଅଭିଯୁକ୍ତ ନାମରେ ଅନେକ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।