ଟୀକାକୁ ମାତ ଦେବାରେ ସକ୍ଷମ ଓମିକ୍ରମ

ନୂଆଦିଲ୍ଲୀ: ରଙ୍ଗ ବଦଳାଇଲା କରୋନା । ପୁଣି ଏକ ନୂଆ ଭାରିଆଣ୍ଟ ଆସିଛି ସାମ୍ନାକୁ । ଟୀକାକୁ ମାତ ଦେବାରେ ସକ୍ଷମ ଏହି ଭାରିଆଣ୍ଟ । ଏବେ ଏହି ଭାରିଆଣ୍ଟ ସଂକ୍ରମଣ ବଢିବାରେ ଲାଗିଛି । ଏହି ଭାରିଆଣ୍ଟ ହେଉଛି ମୂଳ କରୋନାର ୧୫ ତମ ସଂସ୍କରଣ ବା ସ୍ୱରୂପ ପରିବର୍ତ୍ତନ । ଦକ୍ଷିଣ ଆଫ୍ରିକା ସମେତ ବହୁ ଦେଶ ଏହି ଭାରିଆଣ୍ଟ କବଜାରେ । ଏହି ଭାରିଆଣ୍ଟକୁ ନାମ ଦିଆଯାଇଛି ଓମିକ୍ରମ ।ତେବେ କାହିଁକି କରୋନା ଭାରିଆଣ୍ଟର ନାମକରଣ ଓମିକ୍ରମ ହୋଇଛି? କାହିଁକି ଡବ୍ଲୁଏଚଓ ଓମିକ୍ରମକୁ ନେଇ ଚିନ୍ତାରେ? କଣ ଏହି ଭାରିଆଣ୍ଟ ଉପରେ ବର୍ତ୍ତମାନର ଟୀକା ଫଳପ୍ରଦ ନୁହେଁ?
ଯେମିତି ସମସ୍ତେ ଜାଣନ୍ତି, କରୋନା ଭୂତାଣୁ ରଙ୍ଗ ବଦଳାଇବାରେ ମାହିର । ଏହି ପରିବେଶ ଅନୁଯାୟୀ ନିଜ ଭିତରେ ପରିବର୍ତ୍ତନ ଆଣୁଛି । ବୈଜ୍ଞାନିକଙ୍କ ଅନୁଯାୟୀ, କୌଣସି ଶରୀରରେ ପ୍ରବେଶ କରିବା ପରେ ଭାଇରସ ଦ୍ରୁତ ବେଗରେ ନିଜର ଆରଏନଏ ବୃଦ୍ଧି କରି ଭାଇରସ ସଂଖ୍ୟା ବୃଦ୍ଧି କରେ । କିନ୍ତୁ ସଂଖ୍ୟା ବୃଦ୍ଧି କରିବା ସମୟରେ କୌଣସି ବ୍ୟତିକ୍ରମ ହେଲେ ବା ଆରଏନଏ କପିରେ ବିଭ୍ରାଟ ଘଟେ ତାହାକୁ ମ୍ୟୁଟେସନ କୁହାଯାଏ । ଫଳରେ ତାର ସ୍ୱରୂପରେ ପରିବର୍ତ୍ତନ ଘଟେ ଓ ନୂଆ ଷ୍ଟ୍ରେନ ଆସେ । ଏହି ଦୁଇ ବର୍ଷ ମଧ୍ୟରେ କରୋନାର ଆଲ୍ଫା ତ କେତେବେଳେ ଡେଲ୍ଟା ଭାରିଆଣ୍ଟ ମଣିଷ ପାଇଁ ଘାତକ ହୋଇଛି । ଏବେ ଆସିଛି ଓମିକ୍ରନ । ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛି ଡବ୍ଲୁଏଚଓ । ଡବ୍ଲୁଏଚଓ ଅନୁଯାୟୀ, ଏହି ଭାରିଆଣ୍ଟ ଦ୍ରୁତ ବେଗରେ ଓ ବହୁ ସଂଖ୍ୟାରେ ମ୍ୟୁଟେଟସନ ହେଉଥିବା ଭାରିଆଣ୍ଟ । ତେଣୁ ସଂକ୍ରମଣର ବିପଦ ରହିଛି । ଏହାର ମ୍ୟୁଟେସନକୁ ଦୃଷ୍ଟିରେ ରଖି ଏହା ସବୁଠାରୁ ଭୟଙ୍କର ଓ ସାଂଘାତିକ ଭାରିଆଣ୍ଟ କୁହାଯାଉଛି । କାରଣ ଟୀକାକରଣ ପରେ ମଧ୍ୟ ସଂକ୍ରମଣ ଓ ଭୟାବହତା ସମ୍ଭାବନା ରହିଛି ।