‘ପଳାତକ କହିବାରୁ ଦେଲେ ଦର୍ଶନ’:ନବାବ ମଲ୍ଲିକ

ମୁମ୍ବାଇ: ଗୁରୁବାର ମହାରାଷ୍ଟ୍ରର ମନ୍ତ୍ରୀ ତଥା କଂଗ୍ରେସ ନେତା ନବାବ ମଲ୍ଲିକ ପରମବୀର ସିଂହଙ୍କୁ କରିଛନ୍ତି ଟାର୍ଗେଟ୍ । ମଲ୍ଲିକ କହିଛନ୍ତି ପୋଲିସ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପରମବୀରଙ୍କୁ ପଳାତକ ଘୋଷଣା କରିବାପରେ ଶେଷରେ ସେ ସାମ୍ନାକୁ ଆସିଲେ । ବଳପୂର୍ବକ ଚାନ୍ଦା ଆଦାୟ କରିବା ମାମଲାରେ ଫସିଥିବା ଆଇପିଏସ୍ ଅଧିକାରୀ ପରମବୀର ସିଂହ ବିଗତ କିଛି ମାସ ହେବ ଲୁଚି ରହିଥିବା ବେଳେ ଗୁରୁବାର ମୁମ୍ବାଇ ପହଂଚିଛନ୍ତି ।ଏହି ଘଟଣାରେ ମଲ୍ଲିକ ଆକ୍ଷେପ କରି କହିଥିଲେ କି ମୁମ୍ବାଇରେ ପରମବୀରଙ୍କୁ ସାମ୍ନାକୁ ଆଣିବାପାଇଁ ପଳାତକ ଘୋଷଣା କରିବା ଜରୁରୀ ଥିଲା । ଏହା ମଧ୍ୟ କହିଥିଲେ କି ପରମବୀର ସୁପ୍ରିମ କୋର୍ଟରେ ତାଙ୍କ ଜୀବନ ପ୍ରତି ବିପଦ ଅଛିି ବୋଲି କରିଥିବା ଆବେଦନକୁ କେହି ବିଶ୍ୱାସ କରିବେନି । ମହାରାଷ୍ଟ୍ରରେ ଚାନ୍ଦା ଆଦାୟର ବହୁ ମାମଲାକୁ ସାମ୍ନା କରୁଥିବା ପରମବୀର ବୁଧୁବାର ଗଣମାଧ୍ୟମରେ ଜଣାଇଥିଲେ ଯେ ସେ ଚଣ୍ଡିଗଡରେ ଅଛନ୍ତି । ପରମବୀର ସିଂହଙ୍କ ସ୍ଥାନାନ୍ତର ପରେ ମହାରାଷ୍ଟ୍ର ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ଭ୍ରଷ୍ଟାଚାର ଆରୋପ ଲଗାଇଥିଲେ ।ଶିଳ୍ପପତି ମନସୁଖ ହିରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିବା ପରେ ପରମବୀରଙ୍କ ନାଁ ରେ ମାମଲା ରୁଜୁ ହୋଇଥିଲା । ସେହିପରି ଶିଳ୍ପପତି ଅନିଲ ଅମ୍ବାନିଙ୍କ ଘର ‘ଆଣ୍ଟିଲିଆ’ ବାହାରେ ବିସ୍ଫୋଟକ ଥିବା ଏକ ଗାଡି ମିଳିବାରେ ମଧ୍ୟ ସିଂହଙ୍କ ସଂପୃକ୍ତି ଥିବା ନେଇ ସୁରାଖ ମିଳିବା ପରେ ମାର୍ଚ ୨୦୨୧ ରେ ମୁମ୍ବାଇ ପୋଲିସ ପଦରୁ ହଟା ଯାଇଥିଲା ଏବଂ ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ଗିରଫ କରାଯାଇଥିଲା ।