ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ କ୍ଲିନ ସ୍ୱିପ କରିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା ଦେଇଛନ୍ତି ଏକ ବଡ ବୟାନ । ଟି-୨୦ ଦଳରେ ପ୍ରତ୍ୟାବର୍ତ୍ତନ କରିଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖୁବ ପ୍ରଶଂସା କରିଛନ୍ତି ରୋହିତ । ବିଶ୍ୱକପ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଯେତେବେଳେ ବି ଦଳକୁ ୱିକେଟ ଦରକାର ପଡିଛି ଅଶ୍ୱିନ ତାହା କରିଛନ୍ତି । ୱିକେଟ ଅକ୍ତିଆର କରିବା ପାଇଁ ଅଶ୍ୱିନ ସବୁଠୁ ଭଲ ବିକଳ୍ପ ବୋଲି କହିଛନ୍ତି ରୋହିତ । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ସିରିଜ ବିଜୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ବୋଲର । ତେଣୁ ଅଧିନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅଶ୍ୱିନ କିଓ୍ୱି ଟିମ୍ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ସେ ରନ୍ ରେଟରେ ଅଙ୍କୁଶ ଲଗାଇବା ସହ ଓ୍ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ । ଦୁବାଇରେ ଖେଳିବା ସମୟରେ ଅଶ୍ୱୀନ ଫର୍ମକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଜଣେ ଭଲ ବୋଲର । ଗତ ଅନେକ ବର୍ଷ ହେବ ସେ ଟେଷ୍ଟ୍ ମ୍ୟାଚରେ ନିଜକୁ ପ୍ରମାଣିତ କରିଛନ୍ତି । ସୀମିତ ଓଭର କ୍ରିକେଟରେ ମଧ୍ୟ ତାଙ୍କ ରେକର୍ଡ ଖରାପ ନୁହେଁ । ସେ ଦଳର ମେରୁଦଣ୍ଡ ସଦୃଶ ଅଟନ୍ତି । ସେ ଆହୁରି କହିଛନ୍ତି ଯେ, ନୂଆ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ମିଶି ସେ ଦଳରେ ସୁସ୍ଥ ମାହୋଲ ଆଣିବାରେ ସକ୍ଷମ ହୋଇଛନ୍ତି । କେଉଁ ଖେଳାଳିଙ୍କ ଭୂମିକା କଣ ସେନେଇ ଡ୍ରେସିଂ ରୁମରେ ହୋଇଥିବା ଆଲୋଚନା ଅଧିକ ଗୁରୁତ୍ୱ ବହନ କରେ ବୋଲି ହିଟମ୍ୟାନ୍ କହିଛନ୍ତି ।

ଦୀର୍ଘ ଦିନ ହେବ ସିମୀତ ଓଭର କ୍ରିକେଟରୁ ଦୂରେଇ ରହିଥିଲେ ଅଶ୍ୱିନ । ତେବେ ବିଶ୍ୱକପରେ ତାଙ୍କୁ ପୁଣି ଥରେ ସୁଯୋଗ ମିଳିଥିଲା । ଯେଉଁଥିରେ ଦମଦାର ଏଣ୍ଟ୍ରି କରିଛନ୍ତି ଐଶ । କିଛି ବର୍ଷ ପରେ ବିଶ୍ୱକପରେ ଖେଳୁଥିବା ଅଶ୍ୱିନଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଆକୃଷ୍ଟ କରିଛି ।