ଭୁବନେଶ୍ୱର : ରାଜ୍ୟ ପୁଲିସ ଡିଜି ଶ୍ରୀ ଅଭୟ ଡିସେମ୍ବର ୧୧ ତାରିଖରୁ ଛୁଟିରେ ଯିବେ। ଗୃହ ବିଭାଗ ତାଙ୍କର ଛୁଟି ମଞ୍ଜୁର କରିଛି। କିନ୍ତୁ ଡିସେମ୍ବର ୧୩ରୁ ୧୬ ତାରିଖ, ୪ ଦିନ ପର୍ୟ୍ୟନ୍ତ ଡିଜି ଶ୍ରୀ ଅଭୟଙ୍କର ଛୁଟିକୁ ଗୃହ ବିଭାଗ ମଞ୍ଜୁର କରିଥିବା ବେଳେ ୧୧ ଓ ୧୨ ତାରିଖ ସରକାରୀ ଛୁଟି ଦିବସ ରହୁଥିବାରୁ ସେହି ଦିନ ଗୁଡିକରେ ବି ସେ ଦାୟିତ୍ବରେ ରହିବେ ନାହିଁ । ତେବେ ଅଭୟଙ୍କ ଅନୁପସ୍ଥିତିରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ତଥା ବରିଷ୍ଠ ଆଇପିଏସ୍ ଅଫିସର ଲଳିତ ଦାସ କାର୍ୟ୍ୟ ତୁଲାଇବେ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପଟେ କିନ୍ତୁ ଡିଜିଙ୍କ ଶେଷ ମାସର କାର୍ୟ୍ୟକାଳରେ ଏହାକୁ ନେଇ ଏବେ ବିଭିନ୍ନ ମହଲରେ ତର୍ଜମା ଆରମ୍ଭ ହୋଇଛି। ନିୟମ ଅନୁସାରେ ଡିଜି ପଦବିରେ ୨ ବର୍ଷ କାର୍ୟ୍ୟ କରିବା ପାଇଁ ଡିଜି ଶ୍ରୀ ଅଭୟଙ୍କ ଅବସର ପରେ ଚାକିରି କାଳ ରାଜ୍ୟ ସରକାର ୬ ମାସ ବୃଦ୍ଧି କରିଥିଲେ। ସେହି ଅନୁଯାୟୀ ସେ ଡିସେମ୍ବର ୩୧ରେ ଅବସର ନେବେ ବୋଲି ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। କିନ୍ତୁ ଅନ୍ୟପଟେ ଅବସର ନେଉଥିବା ଜଣେ ଅଧିକାରୀ ଏହି ଡିଜି ପଦବିରେ ଠିକ୍ ୨ ବର୍ଷ କାର୍ୟ୍ୟ କରିପାରିବେ ଏବଂ ସିବିଆଇ ନିର୍ଦ୍ଦେଶକ ଭାବେ ଏହି ନିୟମ ଆଧାରରେ ୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ଚାକିରିରୁ ଅବ୍ୟାହତି ନେଇ ସାରିଛନ୍ତି ବୋଲି ଏବେ ପୁଲିସ ବିଭାଗରେ ଆଲୋଚନା ହେଉଛି।
ଏଭଳି ନିୟମକୁ କାର୍ୟ୍ୟକାରୀ କଲେ ଡିଜି ଶ୍ରୀ ଅଭୟଙ୍କୁ ଡିସେମ୍ବର ୮ ତାରିଖରେ ଦାୟିତ୍ବ ନିବୃତ ହେବାକୁ ପଡିବ। କିନ୍ତୁ ସରକାର ଗୋଟିଏ ପଟେ ଏହି ନିୟମର ବିଭିନ୍ନ ଦିଗକୁ ତର୍ଜମା କରୁଥିବା ବେଳେ ଡିଜି ଶ୍ରୀ ଅଭୟ ଛୁଟିରେ ଯିବାପରେ ପୁଣି କାର୍ୟ୍ୟରେ ଯୋଗ ଦେବେ ନା ସେହିଭଳି ଛୁଟିରେ ଡିସେମ୍ବର ୩୧ ଯାଏ ରହିବେ, ତାହାକୁ ନେଇ ଏବେ ଆଶଙ୍କା ଆକଳନ ଜାରି ରହିଛି। କିନ୍ତୁ ଡିଜିଙ୍କ ଶେଷ ମାସର କାର୍ୟ୍ୟକାଳରେ ଏହାକୁ ନେଇ ଏବେ ବିଭିନ୍ନ ମହଲରେ ତର୍ଜମା ଆରମ୍ଭ ହୋଇଛି ।