ସବୁଜ ଓ ଧଳାରଙ୍କର ହେବ ରାଜ୍ୟର ସମସ୍ତ ସରକାରୀ କୋଠା

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ କୋଠା ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁ ଗୋଟିଏ ରଙ୍ଗ ହେବ । ଏହା ସହ ଷ୍ଟ୍ରିଟ୍ ଲାଇଟ ଓ ପୋଲ ସମସ୍ତ ସବୁଜ ଓ ଧଳା ରଙ୍ଗ ଲାଗିବ । ରାଜ୍ୟର ବିଭିନ୍ନ ସରକାରୀ କାର୍ୟ୍ୟାଳୟରେ ସବୁଜ ଓ ଧଳା ରଙ୍ଗ ଲଗାଇବାକୁ ପୂର୍ତ୍ତ ବିଭାଗର ସମସ୍ତ ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆସରିଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁରୁ ଆରମ୍ଭ ସହର ପର୍ୟ୍ୟନ୍ତ ସବୁ ସରକାରୀ କୋଠାରେ ନୂଆ ରଙ୍ଗ ଲାଗିବ। କେବଳ ସରକାରୀ କୋଠା ନୁହେଁ, ରାଜ୍ୟର ସବୁ ପୋଲ ଏବଂ ଷ୍ଟ୍ରିଟଲାଇଟରେ ବି ସମାନ ରଙ୍ଗ ଲାଗିବ।
ଏହି ସବୁଜ ଓ ଧଳା ରଙ୍ଗ ବାଛିବା ପଛର କାରଣ କୁହାଯାଇଛି ଯେ ଏହା ଶୁଦ୍ଧତା ସନ୍ତୁଳନ, ସମନ୍ବୟ, ଆଶାକୁ ବୁଝାଏ। ଏବେ ଯେତିକି ନୂଆ କୋଠା ନିର୍ମାଣ ହେଉଛି ସେଗୁଡ଼ିକରେ ଏହି ରଙ୍ଗ ଲାଗିବ ଏବଂ ପୁରୁଣା କୋଠାର ମରାମତି ଓ ପୁନରୁଦ୍ଧାର ସମୟରେ ବି। ମାର୍ଚ୍ଚ ମାସ ପୂର୍ବରୁ ସବୁ ସରକାରୀ କୋଠାରେ ନୂଆ ରଙ୍ଗ ଲଗାଇବାକୁ କୁହାଯାଇଛି। କୋଠାର କାନ୍ଥରେ ସବୁଜ ରଙ୍ଗ (ଏସିଆନ୍ ପେଣ୍ଟ୍ସର ଇଙ୍ଗଲିସ୍ ଇଏଲ୍ଏମ୍ଏସ୍ ୨୩୮୭) ଏବଂ ବର୍ଡରରେ ଧଳା ରଙ୍ଗ (ଏସିଆନ୍ ପେଣ୍ଟ୍ସର ସାଇ ଇରିସ୍ ୭୨୨୦) ଲାଗିବ। ସେହିପରି ସମସ୍ତ ନଦୀ ପୋଲର ସୁରକ୍ଷା ରେଲ୍ରେ ସବୁଜ ଓ ଧଳା ରଙ୍ଗ ଲାଗିବ।ବ୍ରିଜ୍ର ବିମ୍ରେ ଗାଢ଼ ସବୁଜ ରଙ୍ଗ ଏବଂ ପିଲାର୍ ଓ ଅନ୍ୟ ସ୍ଥାନରେ ପୂରା ଧଳା ରଙ୍ଗ ଲାଗିବ। ଷ୍ଟ୍ରିଟ ଲାଇଟ୍ ଓ ରାସ୍ତା ଫର୍ଣ୍ଣିଚର୍ରେ ଗାଢ଼୍ ସବୁଜ ଓ ଧଳା ରଙ୍ଗ ଲାଗିବ।