ନୂଆ ନୋଟଗୁଡ଼ିକ ଅଧିକ ଦିନ ବ୍ୟବହାର କରାଯାଇପାରିବ ନାହିଁ

(ରିପୋର୍ଟସ ଟୁଡ଼େ): ବିମୁଦ୍ରୀକରଣ ପରେ ଜାରି କରାଯାଇଥିବା ନୂଆ ନୋଟ୍‌ଗୁଡ଼ିକର ମାନ ବହୁତ ଖରାପ। ଏଭଳି ଏକ ରିପୋର୍ଟ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ନୂଆ ନୋଟ୍‌ଗୁଡ଼ିକରେ ଅତି ଖରାପ ମାନର କାଗଜ ବ୍ୟବହାର କରାଯାଇଥିଲା। ପୂର୍ବରୁ ଛପା ହେଉଥିବା ନୋଟ୍‌ ତୁଳନାରେ ଏହି କାଗଜଗୁଡ଼ିକ ନିକୃଷ୍ଟ ମାନର ଥିଲା। ସେଥିପା‌ଇଁ ଏହି ନୂଆ ନୋଟ୍‌ଗୁଡ଼ିକୁ ଅଧିକ ଦିନ ବ୍ୟବହାର କରାଯାଇପାରିବ ନାହିଁ। ଦୁଇ ବର୍ଷ ପରେ ବହୁ ନୂଆ ନୋଟ୍‌ ବ୍ୟବହାର ଅନୁପଯୋଗୀ ହୋଇଯାଇଛି। ଏଟିଏମ୍‌ରେ ମଧ୍ୟ ତାହାକୁ ଭର୍ତି କରାଯାଇପାରିବ ନାହିଁ। କାରଣ ନୋଟ୍‌ର ମାନ ଖରାପ ହୋଇଯାଇଥିବାରୁ ଏଟିଏମ୍‌ର ସେନ୍‌ସର୍‌ ସେଗୁଡ଼ିକୁ ଠିକ୍ ଭାବେ ଚିହ୍ନଟ କରିପାରୁ ନାହିଁ। ନୂଆ ଦୁଇ ହଜାର ଟଙ୍କିଆ ଠାରୁ ଆରମ୍ଭ କରି ନୂଆ ୫୦୦ ଓ ୧୦ ଟଙ୍କିଆ ପର୍ୟ୍ୟନ୍ତ ପ୍ରାୟ ସବୁ ପ୍ରକାର ନୋଟ୍‌ ଏଭଳି ନିମ୍ନ ମାନର କାଗଜରେ ଛପା ଯାଇଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ନୋଟ୍‌ ଧୀ‌ରେ ଧୀରେ ବ୍ୟବହାର ଅନୁପଯୋଗୀ ହୋଇଗଲାଣି। ବ୍ୟାଙ୍କ ସ୍ତରରେ ଏଭଳି ଖରାପ ନୋଟ୍‌ଗୁଡ଼ିକର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେଗୁଡ଼ିକୁ ‘ବ୍ୟବହାର ଅନୁପଯୋଗୀ’ ବର୍ଗରେ ରଖାଯାଉଛି। କିନ୍ତୁ, ସରକାର କହୁଛନ୍ତି ଯେ, ନୋଟ୍‌ର ମାନ ସହିତ କୌଣସି ପ୍ରକାର ସାଲିସ୍‌ କରାଯାଇନାହିଁ। ନୂଆ ନୋଟ୍‌ରେ ଅତିରିକ୍ତ ସୁରକ୍ଷା ବୈଶିଷ୍ଟ୍ୟ ବ୍ୟବହାର କରାଯାଇଛି ଓ ସେଗୁଡ଼ିକର ଜାଲ୍‌ ନୋଟ୍‌ ବାହାର କରିବା ଅତ୍ୟନ୍ତ କଷ୍ଟକର ବୋଲି ସରକାରୀ ସୂତ୍ରରୁ କୁହାଯାଇଛି।