ୟୁକେରେ ନୂଆ ଭୂତାଣୁ ମ୍ୟୁଟେସନ

ମୁମ୍ବାଇ: ବ୍ରିଟେନରେ ଏବେ ଆତଙ୍କ ସୃଷ୍ଟି କରିଛି ନୂଆ ଭୂତାଣୁ ମ୍ୟୁଟେସନ । ଏହା ଗତବର୍ଷର ଡ଼େଲ୍ଟା ଭାରିଏଣ୍ଟଠାରୁ ଅଧିକ ସଂକ୍ରାମକ ଏବଂ ଅଧିକ ଘାତକ ମଧ୍ୟ । କେବଳ ବ୍ରିଟେନ ନୁହେଁ ସମଗ୍ର ୟୁରୋପ ଲାଗି ଏହା ଏବେ ଚିନ୍ତାର କାରଣ ପାଲଟିଛି । ଯାହାକୁ ନେଇ ଅନୁମାନ କରାଯାଇଛି ଯେ ଆଗାମୀ ସପ୍ତାହ ବେଳକୁ ହୁଏତ ବ୍ରିଟେନ ଏବଂ ଋଷିଆରେ ଲକଡ଼ାଉନ ହୋଇପାରେ । ଏହି ନୂଆ ମ୍ୟୁଟେସନର ବ୍ୟାପକ ପ୍ରସାର ଏବଂ ହସ୍ପିଟାଲରେ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟାରୁ ଏହା ଆକଳନ କରାଯାଉଛି । ଯାହା ଏବେ ବ୍ରିଟେନ ସମେତ ଅନେକ ଦେଶ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଭୂତାଣୁର ଏହି ପ୍ରକାର ଉରେ ବୈଜ୍ଞାନିକ ମାନେ ନଜର ରଖିଛନ୍ତି । ହେଲେ ସଂକ୍ରମଣ ବଢ଼ିବା ପରେ ଏହାକୁ ଯାଞ୍ଚ ପରିସରକୁ ନିଆଯାଇଛି । ଏହି ଭୂତାଣୁକୁ ଭିୟୁଆଇ ଶ୍ରେଣିରେ ରଖାଯାଇଛି । ଭାରତର ସିଏସଆଇଆରଙ୍କ ଇନଷ୍ଟେଚ୍ୟୁଟ୍ ଅଫ ଜିନୋମିକ୍ସ ଏଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ନିର୍ଦ୍ଦେଶକ ଡା. ଅନୁରାଗ ଅଗରୱାଲ ସୂଚନା ଦେଇଛନ୍ତି ଯେ ଡ଼େଲ୍ଟାର ସଂଶୋଧିତ ପରିଭାଷା ଆମ ଦେଶରେ ରହିଛି । କିନ୍ତୁ ଏହି ଭୂତାଣୁ ସଂକ୍ରମିତଙ୍କ ହାର ଏବେ ଅତ୍ୟନ୍ତ କମ ରହିଛି । ଅର୍ଥାତ ଏହା ୦.୧ ପ୍ରତିଶତରୁ ବି କମ ରହିଛି । ତେବେ ବାହାର ଦେଶ ମାନଙ୍କରେ ଏହା ର ପ୍ରଭାବ ଅଧିକ ରହିଛି । ଯେଉଁଥିପାଇଁ ଏହା ଲକ୍ଷଲକ୍ଷ ଲୋକଙ୍କୁ ସଂକ୍ରମିତ କରିସାରିଲାଣି ।