ଗୋବିନ୍ଦ ବଖାଣିଲା ସେହି କାଳ ରାତ୍ରିର କଥା

(କଳାହାଣ୍ଡୀ) : ମମିତା ମେହେରଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ହେବାରେ ଲାଗିଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହେଯାଗୀ ରାଧେକୁ ଗିରଫ କରିସାରିଲାଣି ପୁଲିସ । ଏହି ଦୁଇ ଅଭୁଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଇ ଆହୁରୀ ଖୋଳ ତାଡ କରୁଛି ପୁଲିସ । ଶୁକ୍ରବାର ଭୋର ୪ ଟା ୧୦ ମିନିଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ନିଆଯାଇ ଥିଲା କ୍ରାଇମ ସ୍ପଟକୁ ଆଉ ସେଠାରେ ଦେଖାଇଥିଲା ଡେମୋ ଏବଂ ବଖାଣି ଥିଲା କାଳ ରାତ୍ରୀର କଥା ।
ଅକ୍ଟୋବର ୮ ତାରିଖ ସକାଳ ୬ଟା ୩୦ମିନିଟ୍ ରେ କଣ୍ଟାବାଞ୍ଜି ବସଷ୍ଟାଣ୍ଡରୁ ବଜରଙ୍ଗବାଲୀ ବସରେ ମହାଲିଙ୍ଗ ବାହାରିଥିଲେ । ସକାଳ ୭ଟା ୪୫ମିନିଟରୁ ୮ଟା ସିନ୍ଧେକେଲା ଚାନ୍ଦୋତରା ଛକଠାରେ ବସରୁ ଓହ୍ଲାଇଥିଲେ ମମିତା । ପୂର୍ବରୁ ସେହିଠାରେ ଅପେକ୍ଷା କରି ରହିଥିଲେ ଗୋବିନ୍ଦ ସାହୁ । ଗୋବିନ୍ଦଙ୍କ ୱାଗନର କାର୍ ନମ୍ବର ଓଡି୦୮କେ୧୦୦୨ରେ ମମିତା ଭବାନୀପାଟଣା ଯାଇଥିଲେ। ଭବାନୀପାଟଣା ଷ୍ଟାଚ୍ୟୁ ଛକ ନିକଟରେ ଉଭୟ ସପିଂ କରିଥିଲେ । ଯାହାର ସିସିଟିଭି ଭିଜୁଆଲ ପୋଲିସ ହାତରେ କୁଆଡ଼େ ଲାଗିଛି । ଦିନ ୧୧ ଟାରେ ପୁଣି ଫେରିଥିଲେ । ୧୨ଟା ବେଳେ କୁରସୁଡ଼ ଠାରେ ପହଞ୍ଚିଥିଲେ । କାର୍ ଭିତରେ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା । ଏପରିକି ଏହା ହାତାହାତି ଯାଏଁ ଯାଇଥିଲା । ଏହି ସମୟରେ ମମିତାଙ୍କ ତଣ୍ଟି ଧରି ଛାତିରେ ମୁଥ ମାରିଥିଲେ ଗୋବିନ୍ଦ । ଏଥିରେ ମମତାଙ୍କର ମୃତ୍ୟୁ ହୋଇଥିବା ଗୋବିନ୍ଦ କୁଆଡ଼େ ବଖାଣିଛନ୍ତି ।
ମମିତାଙ୍କ ମୃତଦେହକୁ କାରରେ ଧରି ଗୋବନ୍ଦ ମହାଲିଙ୍ଗ ନିଜ ଘରକୁ ଆସିଥିଲେ। ସମୟ ଦିନ ୧ଟାରେ ଘର ବାଡ଼ିପଟେ ଗାଡି ପାର୍କିଂ କରିଥିଲେ । ଘରକୁ ଯାଇଥିଲେ । ରାତି ପର୍ୟ୍ୟନ୍ତ ଅପେକ୍ଷା କରିଥିଲେ। ସମୟ ରାତି ୮ଟା ବେଳେ ପୁଣି ବାଡ଼ିପଟୁ କାର ଧରି ମହାଲିଙ୍ଗ ନିର୍ମାଣାଧୀନ ଷ୍ଟାଡିୟମରେ ପହଞ୍ଚିଥିଲେ ଗୋବିନ୍ଦ । ପୂର୍ବରୁ ସେଠାରେ ଗାତ ଖୋଳା ସରିଥିଲା । ମମିତାଙ୍କ ମୃତଦେହକୁ ଗାଡିରୁ ବାହାର କରି ଗାତ ଭିତରେ ପକାଇଥିଲେ। ଉପରେ ଟାୟାର ଛୋଟ କାଠ, ଭଙ୍ଗା ଚେୟାର ପକାଇଥିଲେ । ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ୧୫ ମିନିଟ୍ ପର୍ୟ୍ୟନ୍ତ ସେଠାରେ ସେ ରହିଥିଲେ । ମୃତଶରୀର ଅଧା ପୋଡିଯିବା ପରେ ଗାତକୁ ପୋତି ବାହାରି ଆସିଥିଲେ ନିଜ ଘରକୁ ।କ୍ରାଇମ ସ୍ପଟରେ ଅଭିଯୁକ୍ତ ଗୋବିନ୍ଦ ଗୋଟି ଗୋଟି ସତ ବଖାଣିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ପୋଲିସ ଭୋରରୁ କ୍ରାଇମ ରିକ୍ରିଏସନ ସାରିଥିଲା । କୁରସୁଡ, ଚାନ୍ଦୋତରା, ମହାଲିଙ୍ଗଠାରେ ପୋଲିସ ଗୋବିନ୍ଦଠାରୁ ଡେମୋ ନେଇଥିବା ବେଳେ ମହାଲିଙ୍ଗ ମିନି ଷ୍ଟାଡିୟମରୁ ଫୋରେନସିକ୍ ଟିମ୍ ଆହୁରି ଅନେକ ପ୍ରମାଣ ସଂଗ୍ରହ କରିଛି ।
କଥାରେ ଅଛି ସତ କେବେ ଲୁଚି ରହେନା , ସେ ସତ ଯେତେ ମାଟିତଳେ ପୋତି ହୋଇଥିଲେ ମଧ୍ୟ ସତ ସାମ୍ନାକୁ ଆସେ । ଯାହାର ଏ ହେଉଛି ଏକ ଉଦାହରଣ । ଅଭିଯୁକ୍ତ ଗୋବିନ୍ଦ ସାହୁ ଭାବିଥିଲା ତାର ଏହି ଅପରାଧକୁ ସେ ମାଟିରେ ପୋତି ଦେଇଛି ଆଉ ଏହା କାହାରି ସାମ୍ନାକୁ ଆସିବନି । କିନ୍ତୁ ଏ ଘଟଣା ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।