(ବଡବିଲ) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରିଯୁବକଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳ ୫ ନଂ ୱାର୍ଡ ଆଜାଦବସ୍ତି ଅଞ୍ଚଳରେ । ମୃତ ଯୁବକ ଜଣକ ହେଲେ ବୁଧୁରାମ ସରିକା ମୁଣ୍ଡା । ସୂଚନା ଅନୁଯାୟୀ ବୁଧୁରାମ ସିରିକା ମୁଣ୍ଡାଙ୍କ ସହ ପଡୋଶୀ ୩ ଭାଇ ମାସୀ ମୁଣ୍ଡା, ଲାଦର ମୁଣ୍ଡା ଓ ଶିବ ମୁଣ୍ଡା ଗଣ୍ଡଗୋଳ କରିଥିଲେ । ପରେ ସେମାନେ ଘର ଭିତରେ ପଶି ସିରିକା ମୁଣ୍ଡାଙ୍କୁ ପଥରରେ ଛେଚି ଛେଚି ହତ୍ୟା କରି ଫେରାର ହୋଇଯିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ବୁଧୁରାମଙ୍କ ସ୍ତ୍ରୀ ସରସ୍ବତୀ ମୁଣ୍ଡା କାମ କରିବା ପାଇଁ ବାହାରକୁ ଯାଇଥିଲେ । ତେବେ ପାଖ ପଡୋଶୀ ଓ ସ୍ଥାନୀୟ ଲୋକେ ଦୁଇ ଭାଇଙ୍କୁ କାବୁ କରି ପୋଲିସକୁ ଜିମା ଦେଇଥିବା ବେଳେ ଲଦର ମୁଣ୍ଡା ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ଯୋଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାରେ ବ୍ୟବହୃତ ପଥରକୁ ଜବତ କରି ଛାନଭିନ୍ ଚଳାଇଛି ପୋଲିସ । ତେବେ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡି ନାହିଁ । ପୂର୍ବ ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି ।