ସୁବର୍ଣ୍ଣପୁର (ଓମପ୍ରକାଶ ମିଶ୍ର) ଆଜି ବିନିକା ବ୍ଲକ ଅଫିସ ପରିସରରେ ଭାରତ ସରକାରଙ୍କ ଋଣ ସଂଯୋଗୀକରଣ ଯୋଜନାରେ ଏକ ବୃହତ ଋଣ ମେଳା ବିନିକା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି ମେଳା ରେ ୧୫ଗୋଟି ଜାତୀୟ କରଣ ବ୍ୟାଙ୍କ ମାନଙ୍କ ସହଯୋଗରେ ଏକ କାଳୀନ ଗୋଟିଏ ଜାଗାରେ ୨୩କୋଟି ୩୦ଲକ୍ଷ ଟଙ୍କାର ଋଣ ବିତରଣ କରି ସମଗ୍ର ଜିଲ୍ଲାରେ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି l ଆଜିର ଏହି କ୍ରେଡିଟ ଆଉଟରିଚ ସଭାର ମୁଖ୍ୟ ଅତିଥି ଭାବରେ ବିନିକା ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଶୋକ ନନ୍ଦ, ସମ୍ମାନିତ ଅତିଥି ଭାବରେ ଡ଼ି ଜି ଏମ ନାବାର୍ଡ ତାପସ ଶଙ୍କର ରାଉତ, ଏଲ ଡ଼ି ଏମ ସରୋଜ ଦାଶ, ଜିଲ୍ଲା ମିଶନ ଶକ୍ତି ସଂଯୋଜକ କାର୍ତ୍ତିକ ନାଏକ, ଡ଼ି ପି ଏମ ଯୁବରାଜ ସାହୁ, ଡ଼ି ଏସ ଡବ୍ଲୁ ଓ ଗୌର ମଣି ହାଁସଦା, ଜି ଏମ ଡ଼ି ଆଇ ସି ବଳଭଦ୍ର ନାୟକ, ଓ ସି ଡ଼ି ପି ଓ ବିନିକା ଯୋଗଦାନ କରିଥିବା ବେଳେ ୧୫ଗୋଟି ବ୍ୟାଙ୍କ ର ଶାଖା ପରିଚାଳକ ମାନେ ଯୋଗଦାନ କରିଥିଲେ l ଭାରତ ସରକାରଙ୍କ କାର୍ୟ୍ୟକ୍ରମ ଅନୁସାରେ କରୋନା ପରବର୍ତ୍ତୀ ସମୟରେ ବଜାରକୁ ମାନ୍ଦା ପରିସ୍ଥିତି ରୁ ଉଦ୍ଧାର କରିବା ପାଇଁ ଦୁଇଟି ପର୍ୟ୍ୟାୟରେ ଏଭଳି ଋଣ ମେଳା ଅନୁଷ୍ଠିତ ହେବ l ଆଜିର ଏହି ଋଣ ମେଳାରେ ୨୦୫ଗୋଟି ମହିଳା ସ୍ୱୟଂ ସହାୟକ ଦଳଙ୍କୁ ବିଭିନ୍ନ ବିଭାଗରେ ୪କୋଟି ୮ ଲକ୍ଷ ଟଙ୍କାର ଋଣ ଯୋଗାଇ ଦିଆଯାଇଛି l ସେହି ଭଳି ୩୦୮ଜଣ ବ୍ୟକ୍ତି ବିଶେଷ ଙ୍କୁ ଘର, ଗାଡି, କୃଷି,. ମୁଦ୍ରା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ୧୯କୋଟି ୨୨ଲକ୍ଷ ଟଙ୍କାର ଋଣ ମଞ୍ଜୁର କରାଯାଇଛି l ସମଗ୍ର ଜିଲ୍ଲାରେ ଗୋଟିଏ ଦିନରେ ଏତେ ପରିମାଣର ଋଣ ମଞ୍ଜୁର ହେବାରେ ଏହା ରେକର୍ଡ ସୃଷ୍ଟି କରିଛି l ଏହି କାର୍ୟ୍ୟକ୍ରମର ସଫଳତା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଲିଡ଼ ବ୍ୟାଙ୍କ ମ୍ୟାନେଜର ଶ୍ରୀ ସରୋଜ ଦାଶ ସମସ୍ତ ବ୍ୟାଙ୍କ, ସ୍ୱୟଂ ସହାୟକ ଦଳଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ନୂତନ ଉଦ୍ୟୋଗୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି l