ଉଦଳା (ଦୀପକ ମିଶ୍ର) : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଶତାଧିକ ଆଦିବାସୀ ମହିଳା ପୁରୁଷ ଏକତ୍ରିତ ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ବିକ୍ଷୋଭ କରିଛନ୍ତି ।
କପ୍ତିପଦା ବ୍ଲକ ଲାବଣ୍ୟଦେଇପୁର ପଂଚାୟତରେ ରହିଥିବା ମାଠିଆ ନାଳ ଉପରେ କ୍ରସ ବନ୍ଧ ନିର୍ମାଣ ସହିତ ଜାହିରା ସ୍ଥାପନ ଦାବିରେ ଆଜି ୭ ଗୋଟି ଗ୍ରାମର ଗ୍ରାମବାସୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଲାବଣ୍ୟଦେଇପୁର ପଂଚାୟତର ଧନଚତୁରୀ, ହୁଡିସାହି, କଟୁରିଆ, ବିନ୍ଧାଣୀ ସାହି, ମହାରାସାହି, ହାଟସାହି, ଚାପଲସାହି ଭଳି ୭ ଗୋଟି ଗ୍ରାମର ଆଦିବାସୀ ଚାଷୀମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି । ୭ହଜାର ଚାଷୀ ମାଠିଆ ନାଳ କ୍ରସ ବନ୍ଧ ଉପରେ ନିର୍ଭର କରୁଥିବା ବେଳେ ଏହି କ୍ରସ ବନ୍ଧ ନିର୍ମାଣ ନିମନ୍ତେ ପୂର୍ବରୁ ଅନେକ ବାର ଦାବି ହୋଇଛି । ହେଲେ ସବୁଥର କେବଳ ପ୍ରତିଶୃତି ମିଳିଥିବା ବେଳେ ତାହା ସୁଫଳ ହୋଇପାରିନାହିଁ । ଯାହାକୁ ନେଇ ଆଜି ତାତିଛନ୍ତି ଗ୍ରାମବାସୀ । ଗ୍ରାମବାସୀମାନେ କ୍ରସବନ୍ଧ ନିର୍ମାଣ ସହିତ ଗ୍ରାମରେ ଜାହିରା ସ୍ଥାପନ ଦାବିରେ ଆଜି ଉଦଳା ବଜାର ପରିକ୍ରମା କରିବା ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହାତରେ ଆଦିବାସୀଙ୍କ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଏହି ଧାରଣାରେ ସାମିଲ ହୋଇଛନ୍ତି । ଏହି ଦାବି ସମୂହ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।