ମାଲକାନଗିରି (ସୂର୍ଯ୍ୟକାନ୍ତ ବେହେରା): ଭାଲୁକୁ ଧରିବା ପାଇଁ ଲଗା ଯାଇଥିବା ବିଦ୍ୟୁତ ତାରରେ ଲାଗି ଚାଲିଗଲା ଜଣେ ମହିଳାଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଏମ ଭି- ୧୭ ଗ୍ରାମରେ ଦେଖିବାକୁ ମିଳିଛି । ଗାଁ ଭିତରକୁ ଏକ ଭାଲୁ ବାରମ୍ବାର ପଶି ଏକ ମିକ୍ସଚର ଫ୍ୟାକ୍ଟ୍ରିର କିଛି ସାମଗ୍ରୀ ସହ ଚାଷଜମି ନଷ୍ଟ କରୁଥିଲା । ଏହି ଜଙ୍ଗଲୀ ଜନ୍ତୁ ଭୟରେ ଭୟରେ ଜୀବନ ବିତାଉଥିଲେ ଗ୍ରାମବାସୀ । ଏ ସମ୍ପର୍କରେ ବନ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରି ନଥିଲା । ଶେଷରେ ବାଧ୍ୟ ହୋଇ ଭାଲୁ ଦାଉରୁ ରକ୍ଷା ପାଇବା ପାଇଁ ମିକ୍ସଚର ଫ୍ୟାକ୍ଟ୍ରିର ମାଲିକ ରାତିରେ ନିଜ ଘର ଚାରି ପାଖରେ ଏକ ବିଦ୍ୟୁତ ତାର ଜାଲ ବିଛାଇଥିଲେ । କିନ୍ତୁ ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପଲକୋଣ୍ଡା ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଏହି ତାରରେ ମହିଳାଙ୍କ ସ୍ୱାମୀ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ଏହି ଦମ୍ପତି ପ୍ରତିଦିନ ମିକ୍ସଚର ଫ୍ୟାକ୍ଟ୍ରିକୁ କାଠ ଯୋଗାଉଥିଲେ । ତେବେ ଆଜି କାଠ ଦେବାକୁ ଆସିଥିବା ବେଳେ ଦୁହେଁ ବିଦ୍ୟୁତ ତାର ଜାଲ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ମାଲକାନଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥି ସହ ମିକ୍ସଚର ଫ୍ୟାକ୍ଟ୍ରିର ମାଲିକଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି ପୋଲିସ ।