କନ୍ଧ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କପଡା ଗନ୍ଦାକୁ ଜିଆଇ ଟ୍ୟାଗ ମାନ୍ୟତା ଦାବୀ
ରାୟଗଡା(ମନୋଜ ସାହୁ ): ରାୟଗଡା ଜିଲ୍ଲା ବିଷମକଟକ ଓ ମୁନିଗୁଡା ବ୍ଲକ ଅନ୍ତର୍ଗତ ନିୟମଗିରୀ ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ର (କପଡା ଗନ୍ଦା)କୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଦାବୀ କରାଯାଇଛି । ଜିଆଇ ଟ୍ୟାଗ ମିଳିବା ଦ୍ୱାରା ଏହା ଏକ ସ୍ୱତନ୍ତ୍ର ମାନ୍ୟତା ପାଇ ପାରିବ ବୋଲି ଆଶା କରାଯାଉଛି । ଏନେଇ ନିୟମଗିରୀ ଡଙ୍ଗରିଆ କନ୍ଧ ବୁଣାକାର ସଂଘ ଓ ଏସସିଇଆଇଟି ଏହି ଜିଆଇ ଟ୍ୟାଗ ମାନ୍ୟତା ପାଇବା ନେଇ ପ୍ରୟାସ ଆରମ୍ଭ କରିଛନ୍ତି ।
ଦୁଇଟି ବ୍ଲକର ନିୟମଗିରୀ ପାହାଡିଆ ଅଞ୍ଚଳରେ ପ୍ରାୟ ୫୮ ଗୋଟି ଡଙ୍ଗରିଆ ଗ୍ରାମ ରହିଛି । ଏହି ଅଞ୍ଚଳରେ ବାସ କରୁଥିବା ଡଙ୍ଗରିଆ ମହିଳା ମାନେ ଧଳା ରଙ୍ଗର କପଡାରେ ନାଲି, ସବୁଜ ଓ ହଳଦିଆ ରଙ୍ଗର ସୂତାକୁ ବ୍ୟବହାର କରି କପଡା ଗନ୍ଦା ପ୍ରସ୍ତୁତ କରିଥାଆନ୍ତି । ପ୍ରକୃତିର ପୂଜାରୀ ଡଙ୍ଗରିଆ ଜନଜାତିର ମହିଳା ମାନେ ଏହି କପଡା ଗନ୍ଦା ପାହାଡ଼, ଫୁଲ ଓ ସୂର୍ୟ୍ୟ ଏମିତି ବିଭିନ୍ନ ଆକୃତିର ଚିତ୍ର ସବୁ କରିଥାନ୍ତି । ବିଭିନ୍ନ ପୂଜା ପର୍ବାଣୀ, ଧାର୍ମିକ କାର୍ୟ୍ୟକ୍ରମ ଓ ବିବାହ କାର୍ୟ୍ୟରେ ଡଙ୍ଗରିଆ ଜନଜାତିର ପୁରୁଷ ଠାରୁ ଆରମ୍ଭ କରି ମହିଳା ମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ବସ୍ତ୍ରକୁ ପରିଧାନ କରନ୍ତି । ଏହି ପରମ୍ପରା ସେମାନଙ୍କ ପୁରୁଷ ପୁରୁଷ ଧରି ଚାଲି ଆସୁଅଛି । ଏହି କପଡା ଗନ୍ଦା ବିଭିନ୍ନ ମେଳା ମୋହତ୍ସବରେ ପ୍ରଦର୍ଶିତ ହୋଇ ବହୁଳ ଭାବେ ବିକ୍ରୀ ହୋଇଥାଏ । ଯା ଦ୍ୱାରା ସେମାନେ ଏହି କପଡା ଗନ୍ଦାରୁ ଭଲ ରୋଜଗାର ମଧ୍ୟ କରିଥାଆନ୍ତି । ବିଦେଶରେ ମଧ୍ୟ ଏହି କପଡା ଗନ୍ଦାର ଭଲ ଚାହିଦା ରହିଛି । ବର୍ତ୍ତମାନ ବିଭିନ୍ନ କମ୍ପାନୀ ଏମାନଙ୍କ କପଡା ଗନ୍ଦାର ଅବିକଳ ନକଲ ମ୍ୟାସିନ ଦ୍ୱାରା ପ୍ରସ୍ତୁତ କରି ବଜାରକୁ ଛାଡିବା ଫଳରେ ଏହି ଜନଜାତିର ମହିଳା ମାନେ ସେମାନଙ୍କ ସ୍ୱତନ୍ତ୍ରତା ହରାଉ ଥିବା ଡଙ୍ଗରିଆ କନ୍ଧ ବୁଣାକାର ସଂଘର ସଭାପତି ସିନ୍ଧେ ୱାଡାକା ଅଭିଯୋଗ କରିଛନ୍ତି । ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ କପଡା ଗନ୍ଦାର ସ୍ୱତନ୍ତ୍ରତା ବଜାୟ ରଖିବା ସହ ସ୍ୱତନ୍ତ୍ର ମାନ୍ୟତା ପାଇବା ପାଇଁ ସେ ପ୍ରୟାସ ଆରମ୍ଭ କରି ଜିଆଇ ଟ୍ୟାଗ ପ୍ରଦାନ ନିମନ୍ତେ ଆବେଦନ କରିଛନ୍ତି । ଏହି କପଡା ଗନ୍ଦାକୁ ଜିଆଇ ଟ୍ୟାଗର ମାନ୍ୟତା ମିଳିଲେ ଏହାର ଅବିକଳ ନକଲ ଆଉ କେହି କରି ପାରିବେ ନାହିଁ ଏବଂ ଏହି ଜନଜାତିର ମହିଳା ମାନେ ସେମାନଙ୍କର ଅଧିକାର ପାଇବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଡଙ୍ଗରିଆ ଜନଜାତିର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ କପଡା ଗନ୍ଦାର ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ଯଥେଷ୍ଟ ଚାହିଦା ରହିଛି , ତେଣୁ ଏପରି ପଦକ୍ଷେପକୁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ସ୍ୱାଗତ କରିବା ସହ ଜିଆଇ ଟ୍ୟାଗ ଦ୍ୱାର ଏମାଙ୍କ ବିକାଶ ହେଇପାରିବ ବୋଲି ପ୍ରକାଶ କରିଛନ୍ତି ।