ଭୋଟ ବ୍ୟାଙ୍କ ହାତେଇବାକୁ ଚାଲିଛି ମହିଳା ସଶକ୍ତିକରଣ

ଭୁବନେଶ୍ୱର: ଆମ ରାଜ୍ୟ ସରକାର ମହିଳାଙ୍କ ସଶକ୍ତିକରଣ ଦିଗରେ ପ୍ରତିଶ୍ରୁତିବଦ୍ଧ । ମହିଳାଙ୍କୁ ହାଣ୍ଡିଶାଳରୁ ବାହାର କରି ସମାଜ ଗଠନ, ରାଜ୍ୟ ଗଠନ ତଥା ଦେଶ ବିକାଶରେ ଭାଗିଦାର କରିଛି ବିଜେଡି ସରକାର । ରାଜ୍ୟର ଜନସଂଖ୍ୟା ୪ କୋଟି ଉପରକୁ ଥିବା ବେଳେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିଛନ୍ତି ସରକାର । ଏହା ବ୍ୟତୀତ ନବୀନ ସରକାର ରାଜନୀତିରେ ୩୩% ଭାଗିଦାରୀ ମହିଳାଙ୍କୁ ପ୍ରଦାନ କରିଛନ୍ତି । ଏହାକୁ ନେଇ ସରକାରୀ ଦଳ ଡିଣ୍ଡିମ ପିଟୁଛି । ବାହାବା ନେଉଛି । ଦଳୀୟ ମୁଖପାତ୍ର ଏହାକୁ ନେଇ ଚିକ୍ରାର କରୁଛନ୍ତି । କିନ୍ତୁ ଦେଶର ଏହି ନାରୀ ସଶକ୍ତ ରାଜ୍ୟରେ ନାରୀ ଅସୁରକ୍ଷିତ । ନାରୀ ନିର୍ଯାତନା କ୍ଷେତ୍ରରେ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡିଶା । ଏପରି ଚିନ୍ତାଜନକ ତଥ୍ୟ ଦେଇଛି ନାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) । ରିପୋର୍ଟରେ ଉଲ୍ଲେଖ ତଥ୍ୟ ଉପରେ ଆଖି ପକାଇବା ପରେ ରାଜ୍ୟର ନାରୀ ସଶକ୍ତିକରଣ, ସ୍ୱାବଲମ୍ବୀ ମହିଳା ଆଦି ଯେ ଖାଲି ପ୍ରଚାର ସର୍ବସ୍ୱ ତାହା ପ୍ରମାଣିତ ହେଉଛି । ନୋହିଲେ ସ୍ୱାବଲମ୍ବୀ ଓ ସଶକ୍ତ ମହିଳା କିପରି ହେବେ ନିର୍ଯାତିତା? ସୁରକ୍ଷା ଲୋଡୁଥିବା ମହିଳା କିପରି ହୋଇପାରିବେ ସଶକ୍ତ?କାହିଁ ୨୧ ବର୍ଷର ସ୍ଥିର ସରକାର ଯୋଗାଇ ପାରୁନି ମହିଳାଙ୍କୁ ସୁରକ୍ଷା? ଏହା ରାଜ୍ୟର ମହିଳା ବୁଦ୍ଧିଜୀବୀଙ୍କ ନିକଟରେ ଅଡୁଆ ପ୍ରଶ୍ନ ହୋଇ ଠିଆ ହୋଇଛି ।

ସଶକ୍ତି ଅର୍ଥ ସହ ଶକ୍ତି ବା ଆହୁରି ସହଜରେ କହିବାକୁ ଗଲେ ଶକ୍ତି ସମ୍ପନ୍ନ । ନାରୀ ସଶକ୍ତିକରଣ ଅର୍ଥ ନାରୀଙ୍କୁ ଶକ୍ତି ସମ୍ପନ୍ନ କରାଇବା । ନାରୀକୁ ଯୁଗ ଯୁଗର ପରାଧୀନତାରୁ ମୁକ୍ତ କରିବା, ସମ୍ମାନରେ ଜୀବନ ଜୀଇଁବାକୁ ଦେବା । କିନ୍ତୁ ଏନସିଆରବି ରିପୋର୍ଟକୁ ଦେଖିବା ପରେ ରାଜ୍ୟ ସରକାରଙ୍କ ନାରୀ ସଶକ୍ତିକରଣ ଯେ ଖାଲି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ତାହା ସ୍ପଷ୍ଟ ହୋଇଛି । ନୋହିଲେ ପ୍ରଗତି ପଥରେ ଆଗେଇ ଯାଉଥିବା ମହିଳାଙ୍କ ପ୍ରତି ହିଂସା ଏଭଳି ଆଶାତୀତ ବୃଦ୍ଧି ପାଇ ନ ଥାନ୍ତା ।

ରିପୋର୍ଟ ଅନୁଯାୟୀ, ଗତ ୩ ବର୍ଷରେ ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ପାଇଛି । ୨୦୧୮ରେ ମହିଳାଙ୍କ ପ୍ରତି ହିଂସା ୨୦ହଜାର ୨୭୪ ଥିବା ବେଳେ ୨୦୧୯ରେ ୨୩,୧୮୩ ଓ ୨୦୨୦ରେ ଏହା ୨୫,୪୮୯ରେ ପହଞ୍ଚିଛି । ୨୦୨୦ରେ ମହିଳାଙ୍କୁ ଉଲଗ୍ନ କରିବା ମାମଲା ୩,୨୩୨ ରହିଛି । ମହିଳା ସମ୍ମାନହାନୀ ଓ ଅପହରଣ ମାମଲାରେ ସର୍ବଭାରତୀୟ ସ୍ତରରେ ରାଜ୍ୟର ସ୍ଥାନ ୩ୟ ରହିଛି । ଗତବର୍ଷ ୨୦ ମହିଳା ଗଣଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଛନ୍ତି ଓ ୧,୨୧୧ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଲକଡାଉନ ସମୟରେ ୨୦୨୦ରେ ରାଜ୍ୟର ଅଧିକାଂଶ ମହିଳା ସ୍ୱାମୀଙ୍କୁ ୩,୬୫୯ ମହିଳା ନିର୍ଯାତିତା ନେଇ ମାମଲା ହୋଇଛି । ସେହିପରି ଯୌତୁକ ଜନିତ ହତ୍ୟା ୩୨୦ଟି ପଞ୍ଜିକରଣ ହୋଇଛି । ୬ଟି ଏସିଡ ଆଟାକ୍ ହୋଇଛି । ୨୨୦୨ଟି ଶିଶୁ ଯୌନ ଉତ୍ପୀଡନ ମାମଲା ରୁଜୁ ହୋଇଛି । ୩,୭୭୫ଟି ଅପହରଣ ମାମଲା ରୁଜୁ ହୋଇଥିବା ବେଳେ ୬୯ ମାମଲା ମାନବ ଚାଲାଣର ରହିଛି ।

ଏହି ତଥ୍ୟ ସାମ୍ନାକୁ ଆସିବା ପରେ ମହିଳା ସଶକ୍ତିକରଣ ମୂଲ୍ୟହୀନ ମନେ ହେଉଛି । ସରକାରର ଉଦାସିନତା ପାଇଁ ରାଜ୍ୟରେ ଏମିତି ଅନେକ ଅଭିଭାବକ ଅଛନ୍ତି, ଯେଉଁମାନେ ଝିଅଟିଏ ଜନ୍ମ ନେଲେ ଚିନ୍ତାଗ୍ରସ୍ତ ହୋଇପଡନ୍ତି । କାରଣ ନୁହେଁ କି ସେମାନେ ଝିଅକୁ ଭଲ ପାଆନ୍ତି ନାହିଁ, କିନ୍ତୁ ସେମାନଙ୍କୁ ନିଜ ଝିଅର ସୁରକ୍ଷା ଅଧିକ କାତର କରିଥାଏ । ତେଣୁ ଝିଅଙ୍କ ଶିକ୍ଷା ଉପରେ ଅନେକେ ପ୍ରତିବନ୍ଧକ ଲଗାଇଦିଅନ୍ତି ମାଟ୍ରିକ ପରେ । ପୁଣି ଅନେକ ଅପେକ୍ଷା କରନ୍ତି ଝିଅକୁ ୧୮ ବର୍ଷ ହୋଇଗଲେ ବିଭା ଦେଇଦେବେ । ଏହାକୁ ସଭ୍ୟ ସମାଜ କୁହେ ସଂକୀର୍ଣ୍ଣ ମାନସିକତା । କିନ୍ତୁ ବାସ୍ତବରେ ତାହା ନୁହେଁ । ଝିଅର ସୁରକ୍ଷାକୁ ନେଇ ଅଧିକାଂଶ ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀର ଅଭିବାବକ ଚିନ୍ତାରେ । ଆଜି କୁହାଯାଇପାରେ ଏଥିପାଇଁ ସରକାର ହିଁ ଦାୟୀ । କାରଣ, ୨୧ ବର୍ଷ ଶାସନ କାଳ ମଧ୍ୟରେ ସରକାର ମହିଳାଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟିରେ ବିଫଳ ହୋଇଛନ୍ତି । ଖାଲି ନିର୍ବାଚନ ଓ ଭୋଟ ବ୍ୟାଙ୍କ ଉପରେ ରହିଛି ସରକାରର ସମସ୍ତ ଫୋକସ ।