ସରପଞ୍ଚଙ୍କ ପରିବାର ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବୀ କଲା ବିଜେପି

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସୁସୁବା ପଞ୍ଚାୟତରେ ଦୀର୍ଘ ଦଶ ବର୍ଷ ଧରି ସରକାରୀ ଯୋଜନାର ସୁଫଳ ଅଧିବାସୀଙ୍କ ଠାରୁ ବହୁ ଦୂରରେ ରହିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସରପଞ୍ଚ ଦେବରାଜ ଦାସ ଏବଂ ପରିବାର ସରକାରୀ ଯୋଜନାକୁ ନିଜ ଘରେ ଲଗାଇବା ସହ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ଆଣିଛି ବିଜେପି । ଏନେଇ ବିଜେପିର କାର୍ଯ୍ୟକର୍ତ୍ତା ଏହାର ତଦନ୍ତ କରିବାକୁ ବ୍ଲକ ପ୍ରଶାସନକୁ ଦାବୀ କରିଛନ୍ତି । ନବୀନଙ୍କ ଶାସନ କାଳରେ ଏହା କଣ ସ୍ୱଚ୍ଛ ଶାସନ ? ବ୍ଲକ ପ୍ରଶାସନଙ୍କୁ ଏହାର ଉତ୍ତର ମାଗି ବର୍ଷିଛି ବିଜେପି । ପଞ୍ଚାୟତ ସ୍ତରରେ ଏଭଳି ଦୁର୍ନୀତି ପରିଲକ୍ଷିତ ହେଉଥିବା ବେଳେ ପ୍ରଶାସନର ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି କହିଛନ୍ତି ରାଜ୍ୟ ବିଜେପି କାର୍ଯ୍ୟକାରୀଣୀ ସଦସ୍ୟ ଅଶୋକ ମହାନ୍ତି ।
ତେଣୁ ତୁରନ୍ତ ଏହି ଘଟଣାର ତଦନ୍ତ କରିବା ପାଇଁ ବିଡ଼ିଓଙ୍କଠାରେ ବିଜେପି ପ୍ରତିନିଧି ଦଳ ଏକ ଦାବିପତ୍ର ପ୍ରଦାନ କରିଛି । ତେବେ ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ପଞ୍ଚାୟତ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ବିଡ଼ିଓଙ୍କ ଅନୁପସ୍ଥିତ କ୍ରମେ ଏବିଡିଓ ବିଜୟ କୁମାର ମେହେର ଏହି ଦାବୀ ପତ୍ର ନିଜ କାର୍ଯ୍ୟାଳୟରେ ଗ୍ରହଣ କରି ତଦନ୍ତ ହେବ ବୋଲି ପ୍ରତିଶୃତି ଦେଇଥିଲେ । ସୁସୁବା ସରପଞ୍ଚ ଦେବରାଜ ଦାସ ଏବଂ ତାଙ୍କ ସ୍ତ୍ରୀ ଟିକିରାଣୀ ଦାସ ଗଲା ୧୦ ବର୍ଷ ହେଲା ସରପଞ୍ଚ ପଦକୁ ନିଜ ହାତ ମୁଠାରେ ରଖିଛନ୍ତି । ପୂର୍ବତନ ସରପଞ୍ଚ ଟିକିରାଣୀ ଦାସଙ୍କ ନାମରେ ଏକ ଜମିର ଉନ୍ନତିକରଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ମଝିଆ ଭ୍ରାତା ତଥା ଶିକ୍ଷକ ପିତାମ୍ବର ଦାସଙ୍କ ପତ୍ନୀ ଲିପିକା ସାହୁଙ୍କ ନାମରେ ସରକାରୀ ଜାଗାରେ ଏକ ପୋଖରୀ ଖୋଳାଯାଇଛି । ସେହିପରି ସାନଭାଇଙ୍କ ଧର୍ମପତ୍ନୀ ଅର୍ଜନା ସାହୁ, ତିନି ଖୁଡ଼ି ମେଘନା, ଦୁହିତା ଦାସ ଏବଂ ମଲି ସାହୁଙ୍କ ନାମରେ ଜମିର ଉନ୍ନତି କରଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା ।
ଦାଦା ପଞ୍ଚାନନ ଦାସଙ୍କ ନାମରେ ଏକ ଗୁହାଳ ଘର ପାଇଁ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ସରପଞ୍ଚ ଶ୍ରୀ ଦାସ ନିକଟସ୍ଥ ଭାଲିଆବେଡ଼ା ମୌଜାରେ ୮ ଏକର ଗୋଚର ଓ ଜଙ୍ଗଲ ଜମିରେ ଗୋଟିଏ ପୋଖରୀ ଖୋଳିଛନ୍ତି । ଏଠାରେ ୫ଟି ଜମି ମଧ୍ୟ ଉନ୍ନତିକରଣ କରାଯାଇଛି । ପୁରୁଣା ଜମିକୁ ଦେଖାଇ ନୂଆ ଜମି କରିବା ସହ ପୋଖରୀରେ ମେସିନ ଲଗାଇ କାମ କରାଯାଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ମଣ୍ଡଳ ସଭାପତି ପ୍ରହ୍ଲାଦ ସାମଲ, ବିଜେପି ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଶିଶିର କୁମାର ସାମଲ, ଶକ୍ତିକେନ୍ଦ୍ର ପ୍ରମୁଖ ମନୋଜ କୁମାର ବିଶ୍ୱାଳଙ୍କ ସହିତ ବାନାମ୍ବର ଦେହୁରୀ, ଅକ୍ଷୟ ସାହୁ, ଧରଣୀଧର ପଟ୍ଟନାୟକ, ବନମାଳୀ ସାମଲ, ବାବୁଲା ପରିଡ଼ା, ବିପିନ ପୃଷ୍ଟି, ସୋମୋ ପରିଡ଼ା, କାଳନ୍ଦୀ ପଟ୍ଟନାୟକ ଏବଂ ବିପିନ ନାଏକ ପ୍ରମୁଖ ଆଜି ବିଡ଼ିଓଙ୍କ ଅନୁପସ୍ଥିତିରେ ଏବିଡ଼ିଓ ଶ୍ରୀ ମେହେରଙ୍କୁ ୧୫ ଦଫା ଦାବିପତ୍ର ଦେବା ସହ ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ପଞ୍ଚାୟତ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।