ମା ସନ୍ତୋଷୀ ପାଲବନ୍ଧା ଶ୍ରମଜୀବୀ ସଂଘର ବୈଠକ

ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ହରିହରପୁର ପଞ୍ଚାୟତ ରୁଟୁଭୂଇଁ ଶିବ ମନ୍ଦିରଠାରେ ମା ସନ୍ତୋଷୀ ପାଲବନ୍ଧା ଶ୍ରମଜୀବୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ସଭାପତି ସତ୍ୟବ୍ରତ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ବୈଠକର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ରୂପେ ସତ୍ୟବ୍ରତ ମହାନ୍ତି ଏବଂ ବିଜୟ କୁମାର ବେହେରାଙ୍କୁ ସମ୍ପାଦକ ଚୟନ କରାଯାଇଥିଲା । କଣିହାଁ ଖଣିରୁ କୋଇଲା ଲୋକାଲ ସେଲ ପାଇଁ ଏମସିଏଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ କୋଇଲା ପରିବହନ ନିମନ୍ତେ ସ୍ଵତନ୍ତ୍ର ରାସ୍ତା ନିର୍ମାଣ କରାନଯାଇ ବସ୍ତି ରାସ୍ତାରେ ଭାରୀଯାନ ଚଳାଚଳକୁ ସଂଘ ବିରୋଧ କରିବା ସହ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବୈଠକରେ ସ୍ଥିର କରାଯାଇଛି । ଅନ୍ୟ ପକ୍ଷରେ ବିଜିଗୋଳ, ଭୀମକାଣ୍ଡ, ଲୋଧାବନ୍ଧ, କମରେଇ, ଗଣ୍ଡବେରଣା, ଦଣ୍ଡସିଂହା, ବାରଡାଙ୍ଗୁଆ, ନକନକା, ଦେହୁରୀଭୂଇଁ, ଆମ୍ବପାଳ, କମରେଇ ଆଦି ଗ୍ରାମର ବେକାର ଯୁବକଙ୍କୁ ପାଲଭିଡା କାମରେ ନିୟୋଜନ କରାଯିବା ନେଇ ସଂଘ ପକ୍ଷରୁ ଲଢେଇ ଜାରି ରହିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଶିକେଶନ ମହାନ୍ତି, ବନମାଳୀ ସାମଲ, ବ୍ରଜବନ୍ଧୁ ଭୂତିଆ, ବିକାଶ କୁମାର ପ୍ରଧାନ, ଅଛୁ ଦେହୁରୀ, ଦିଲ୍ଲୀପ ନାଏକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।