ସହିଦ ଦେବାଶିଷ ସେଠୀଙ୍କ ପରିବାରକୁ ସମ୍ବର୍ଦ୍ଧନା

ଅନୁଗୁଳ/ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଓବାଦୀଙ୍କ ସହ ଲଢେ଼ଇରେ ସହିଦ ଦେବାଶିଷ ସେଠୀଙ୍କ ପରିବାରବର୍ଗଙ୍କୁ ସମ୍ମାନିତ କରାଯାଇଛି । ସୋମବାର ଦେବାଶିଷଙ୍କ ପରିବାରକୁ ମରଣୋତ୍ତର ସୌର୍ଯ୍ୟ ଚକ୍ରରେ ପୁରସ୍କୃତ କରିବା ସହିତ ସମ୍ବର୍ଦ୍ଧିତ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୦୨୦ ମସିହା ସେପ୍ଟେମ୍ବର ୯ ତାରିଖରେ କଳାହାଣ୍ଡି- କନ୍ଧମାଳ ସୀମାନ୍ତ ସିର୍କୀ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଦେବାଶିଷ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀ ସୁଧୀର କୁମାର ଟୁଡୁ ସହିଦ ହୋଇଥିଲେ । ତେବେ ସହିଦ ହେବା ପୂର୍ବରୁ ବିରତା ଓ ସାହାସିକତା ଦେଖାଇ ୫ ମାଓବାଦୀଙ୍କୁ ଦମନ କରିଥିଲେ ଦେବାଶିଷ । ଏଥିପାଇଁ ତାଙ୍କୁ ସୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ୬ ବର୍ଷ ହେଲା ଏସଓଜି ଯବାନ ଭାବେ କାମ କରୁଥିଲେ ଅନୁଗୁଳ ଜିଲ୍ଲା ଅଙ୍ଗପଡା ଗାଁର ସନାତନ ସେଠୀ ଓ ଛାଇ ସେଠୀଙ୍କ ବଡ଼ ପୁଅ ଦେବାଶିଷ ସେଠୀ । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଦେବାଶିଷଙ୍କ ବାପା-ମାଙ୍କୁ ସମ୍ବର୍ଦ୍ଧିତ କରିବା ସହ ୧୦ ଡ଼ିସିମିଲ ଜାଗାର ପଟ୍ଟା ପଦାନ କରାଯାଇଛି । ରାଜ୍ୟ ଓ ଦେଶ ପାଇଁ ଜୀବନ ଦେଉଥିବାରୁ ଆଜି ବେଶ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି ବୋଲି ଦେବାଶିଷଙ୍କ ପିତା ଓ ମାତା ପ୍ରକାଶ କରିଛନ୍ତି ।
ସେହିପରି ସହିଦ ଦେବାଶିଷଙ୍କୁ ମରଣୋତ୍ତର ସମ୍ମାନରେ ସୌର୍ଯ୍ୟ ଚକ୍ର ପାଇବା ଓଡିଶାବାସୀ ତଥା ଓଡିଶା ପୁଲିସ ପାଇଁ ଗର୍ବର କଥା ବୋଲି ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା କହିଛନ୍ତି । ଦେବାଶିଷ ଯେଉଁଭଳି ପରିସ୍ଥିତିରେ ଦୁର୍ଗମ ଅଞ୍ଚଳରେ ପଶି ମାଓବାଦୀଙ୍କ ଦମନ କରିଥିଲେ ତାହା ବେଶ ପ୍ରଶଂସନୀୟ ବୋଲି କହିଥିଲେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।