ଜିଲ୍ଲାପାଳଙ୍କ ଅଫିସ ଘେରିଲେ ନୀଳାଚଳ କୃଷକ ସଂଘ

ଗୋପ/ଜୟନ୍ତ କୁମାର ସେଠୀ: ଧାନର ଅଭାବୀ ବିକ୍ରି, ଚାଷୀମାନଙ୍କୁ ଉଚିତ୍ ପ୍ରାପ୍ୟ ନ ମିଳିବା, ଫୋନି ସହାୟତାରୁ ଲକ୍ଷାଧିକ ଚାଷୀ ବଞ୍ଚିତ ହେବା, କେନାଲ ପାଣି ନ ପାଇବା, ବର୍ଷା ଜଳ ନିଷ୍କାସନରେ ସମସ୍ୟା ନେଇ ନୀଳାଚଳ କୃଷକ ସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ୨୧ ଦଫା ଦାବିପୂରଣ ନେଇ ସ୍ମାରକପତ୍ର ଦିଆଯାଇଛି। ଚାଷୀଙ୍କୁ ସରକାରୀ ସହାୟତାରୁ ବଞ୍ଚିତ କରାଯିବା ପ୍ରତିବାଦରେ ବିକ୍ଷୋଭ କରିବା ସହ ଧାରଣା ଦିଆଯାଇଥିଲା। ତେବେ ୧୫ ଦିନ ଭିତରେ କୃଷକ ମହାସଂଘକୁ ଡାକି ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ନିଷ୍ପରି କରାଯିବାକୁ ଅତିରିକ୍ତ ଜିଲ୍ଲାପାଳ କହିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିବା ଏହାର ସଭାପତି ଗୋପୀନାଥ ମିଶ୍ର ଓ ଉପସଭାପତି ନିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
ମହାସଂଘର ଚାଷୀମାନେ ସୁଭାଷ ଵୋସ ଛକ ରୁ ଏକ ବିରାଟ ରାଲି ରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚିଥିଲେ। ପୁରୀର ବିଭିନ୍ନ ବ୍ଳକର ଶତାଧୀକ ଚାଷୀ ଏଥିରେ ସାମିଲ ହୋଇଥିଲେ। କେନାଲ ପାଣି ଯୋଗାଣ ଓ ବର୍ଷା ଜଳ ନିଷ୍କାସନ ନେଇ ଥିବା ସମସ୍ୟା ସମାଧାନ, ନାଳଗୁଡ଼ିକ ଉପଯୁକ୍ତ ଖନନ କରିବା, ଖନନ କାମରେ ହେଉଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବା, ଦାବି ମୁତାବକ କେନାଲ ମାନଙ୍କରେ ଆନିକଟ ନିର୍ମାଣ କରିବା, ସତ୍ୟବାଦୀ ଓ ଡେଲାଙ୍ଗ ଠାରେ ଦେୱାନି ଅଦାଲତ ପ୍ରତିଷ୍ଠା, ସେବା ସମବାୟ ସମିତିରେ
ହୋଇଥିବା ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଅନିୟମିତତାର ତଦନ୍ତ କରିବା, ହାରଭେଷ୍ଟର ବିକ୍ରିରେ ହୋଇଥିବା ଠକେଇର ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଏହି ବିକ୍ଷୋଭ ଓ ଧାରଣାରେ ଚାଷୀ ନେତା ଗୁଣନିଧ ପାତ୍ର, ଗଦାଧର ସ୍ୱାଇଁ, ଉଗ୍ରସେନ ବିଶ୍ଵାଳ, ଦୁଃଶାସନ ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।