ଆଜିଠୁ ଆରମ୍ଭ ଭାରତ-ଶ୍ରୀଲଙ୍କା ଲଢେଇ

କଲମ୍ବୋ(ରିପୋର୍ଟର୍ସ ଟୁଡେ): ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ । ୧୩ ଜୁଲାଇରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ କୋରୋନା ପାଇଁ ବିଳମ୍ବରେ ଆରମ୍ଭ ହେଉଛି। ଗୋଟିଏ ପଟେ ଶିଖର ଧୱନଙ୍କ ନେତୃତ୍ଵାଧୀନ ଭାରତ ଦଳ ସୁସଜ୍ଜିତ ହୋଇ ଥିବାବେଳେ ଅନ୍ୟ ପଟେ ବିଭିନ୍ନ ଅସୁବିଧାକୁ ଏଡାଇ ଦଳ ତିଆରି କରିଛି ଶ୍ରୀଲଙ୍କା। ଅପରାହ୍ନ ୩ଟା ରେ ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଏହି ଦୁଇ ଦଳ। ପ୍ରଥମେ ତିନୋଟି ଦିନିକିଆ ମ୍ୟାଚ ପରେ ତିନୋଟି ଟି-ଟ୍ଵେଣ୍ଟି ମ୍ୟାଚ ଖେଳାଯିବ।

ଭାରତର ସିନିୟର ଟିମ୍ ଇଂଲଣ୍ଡ ଗସ୍ତରେ ଥିବାରୁ ଇଣ୍ଡିଆ-ବି ଶ୍ରୀଲଙ୍କା ବିପକ୍ଷ ସିରିଜ ଖେଳିବ। ଏହି ସିରିଜରେ ଅନେକ ଯୁବ ପ୍ରତିଭାଙ୍କୁ ଚୟନ କରାଯାଇଥିବା ବେଳେ ଧୱନଙ୍କ ବ୍ୟତୀତ ସାରା ପାଣ୍ଡ୍ୟା ଏବଂ ଭୁବନେଶ୍ଵର କୁମାରଙ୍କ ଭଳି ଅଭିଜ୍ଞ ଖେଳାଳୀ ଦଳରେ ସାମିଲ ଅଛନ୍ତି। ଏଥିସହିତ ମନୀଷ ପାଣ୍ଡେ କୁଳଦୀପ ଯାଦବ ଏବଂ ୟୁଜଭେନ୍ଦ୍ର ଚହଲ ମଧ୍ୟ ଦଳରେ ରହିଛନ୍ତି। ତେବେ ମୁଖ୍ୟ କୋଚ ଭାବେ ପୂର୍ବତନ ଖେଳାଳୀ ରାହୁଲ ଦ୍ରାବିଡ ମନୋନୀତ ହୋଇଛନ୍ତି।
ଅନ୍ୟ ପକ୍ଷରେ ଶ୍ରୀଲଙ୍କା ଅନେକ ଅସୁବିଧା କାରଣରୁ ନିଜ ବରିଷ୍ଠ ଖେଳାଳି ମାନଙ୍କୁ ହରାଇଛି। ଦଳର ସନ୍ତୁଳନ ସଠିକ ରହୁ ନଥିବାରୁ ବାରମ୍ବାର ବୋର୍ଡ, ଅଧିନାୟକ ଏବଂ ଖେଳାଳୀମାନଙ୍କ ଉପରେ ଏକ୍ସପେରିମେଣ୍ଟ୍ ଚଳାଇଛି। ଆଶ୍ଚର୍ଯ୍ୟର ଘଟଣା ଯେ ଭାତ ୪ ବର୍ଷ ମଧ୍ୟରେ ଦଳର ପାଇଁ ୧୦ ଜଣ ଖେଳାଳି ନେତୃତ୍ଵ ନେଇ ସାରିଲେଣି। ସେହିପରି ଭାରତ ବିପକ୍ଷ ସିରିଜ ପାଇଁ ଦାସୁନ ଶନାକା ଅଧିନାୟକ ଭାର ସମ୍ଭାଳିବେ। ତେବେ ଉପ ଅଧିନାୟକ ଭାବେ ଧନଞ୍ଜୟ ଡି ସିଲଭାଙ୍କ ଦାୟୀତ୍ଵ ଦିଆଯାଇଛି।
ଭାରତ ଭଳି ଶ୍ରୀଲଙ୍କା ଦଳରେ ମଧ୍ୟ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ। ତେବେ ଶ୍ରୀଲଙ୍କା ତୁଳନାରେ ଅଧିକ ମଜଭୁତ ଏବଂ ଶକ୍ତିଶାଳୀ ମନେ ହେଉଛି ମେନ୍ ଇନ୍ ବ୍ଲୁ। ତଥାପି କ୍ରିକେଟ ଅନିଶ୍ଚିତତାର ଖେଳ, କୌଣସି ଦଳ ମ୍ୟାଚ ଏବଂ ସିରିଜକୁ ଜିତି ନେଇ ପାରେ। ତେବେ ଏହାର ଉତ୍ତର ସିରିଜ ଶେଷ ପରେ ଜଣା ପଡ଼ିବ।