ଗଞ୍ଜାମ(ହରପ୍ରସାଦ ବିଶୋୟୀ): ମଣିଷ ନିଜ ସ୍ୱାର୍ଥ ସରିଗଲେ ଅତି ନିବିଡ ସମ୍ପର୍କକୁ ବି ଭାଙ୍ଗି ଦେଇ ପାରେ । ଏଭଳି ଏକ ଅମାନବିକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅଧୀନ ଛାଞ୍ଚୁଣିଆ ଜଙ୍ଗଲରେ । ଜଙ୍ଗଲ ତଳ ମୁଣ୍ଡରେ ଗୋଟିଏ ବୁଢ଼ା ଓଟକୁ ତାର ମାଲିକଏକା ଛାଡି ଚାଲିଯାଇଛି । ୨୦ ବର୍ଷରୁ ଊଦ୍ଧ୍ୱର୍ କାଳ ଓଟକୁ ନିଜ କାମରେ ଲଗାଇ ଭଲ ଅର୍ଥ ରୋଜଗାର କରିଥିଲେ । କିନ୍ତୁ ଯେତେବେଳେ ଓଟଟି ବୁଢ଼ା ହୋଇଗଲା, ତାକୁ ଜଙ୍ଗଲରେ ଛାଡ଼ି ମାଲିକ ଏବେ ଛୁ ମାରିଛି । ବିଚରା ଓଟଟି ଏବେ ବେସାହାରା ହୋଇ ଏଣେତେଣେ ବୁଲୁଥିବାର ଦେଖାଯାଇଛି । ମାଲିକ ପ୍ରଥମେ ଓଟଟିକୁ ବେଗୁନିଆପଡ଼ା ବ୍ଲକ୍ ଅଧୀନ କେ.ବରିଡ଼ା ନିକଟ ଏକ ବିଲରେ ଛାଡ଼ି ଦେଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କ ଉପରେ ବିରକ୍ତ ହେବାରୁ ମାଲିକ ଓଟକୁ ନେଇ ଛାଞ୍ଚୁଣିଆ ଜଙ୍ଗଲରେ ଛାଡ଼ି ପଳାଇଛନ୍ତି। ତେବେ ଏହି ଅସହାୟ ଓଟ ଉପରେ ବନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।