ଆକ୍ସନ ମୁଡରେ କଣିହାଁ ପୋଲିସ

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା କଣିହାଁ ଥାନା ପୁଲିସ ଗତକାଲି ଡେରେଙ୍ଗ ଗ୍ରାମରେ ଚଢ଼ଉ କରି ଏକ ହୋଟେଲରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି । ଡେରେଙ୍ଗ ଗ୍ରାମରେ ଥିବା ଓମ୍ ହୋଟେଲରେ ଚଢ଼ଉ କରି ୫୩ ଲିଟର ବିଦେଶୀ ମଦ ଜବତ କରିବା ସହ ଧବଳେଶ୍ଵର ବେହେରା (୩୨)ଙ୍କୁ ଗିରଫ କରିଛି କଣିହାଁ ପୁଲିସ । ହୋଟେଲ୍‌କୁ ମଦ ଯୋଗାଇଥିବା ସ୍ଥାନୀୟ ବିଦେଶୀ ମଦ ଦୋକାନର ମ୍ୟାନେଜର ହର୍ଷ ମହାନ୍ତି (୩୪), ସେଲସମ୍ୟାନ୍‌ ଦାଶରଥି ମହାନ୍ତି (୩୯)ଙ୍କୁ ମଧ୍ୟ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଏଏସ୍‌ଇ ମୀନକେତନ ପ୍ରଧାନ ମାମଲାର ତଦନ୍ତ କରୁଛନ୍ତି।

            ସେହିପରି ଅନ୍ୟ ଏକ ତେଜରାତି ଦୋକାନରୁ ୨୦୦ ଲିଟର ଚୋରା ଡିଜେଲ୍ ଜବତ ହୋଇଛି । କଣିହାଁ ଥାନା ଏସ୍‌ଆଇ ସ୍ମିତାଞ୍ଜଳି ପ୍ରଧାନ ପେଟ୍ରୋଲିଂ କରୁଥିବା ବେଳେ ଡେରେଙ୍ଗ ଗ୍ରାମର ଏକ ତେଜରାତି ଦୋକାନରେ ଚୋରା ଡିଜେଲ ରଖିଥିବା ସୂଚନା ପାଇଥିଲେ । ୫ଟି ପ୍ଲାଷ୍ଟିକ୍ ଜାରିକିନ୍‌ରେ ଦୋକାନୀ ଜଣକ ୨ଶହ ଲିଟର ଡିଜେଲ୍ ରଖି ବେଆଇନ ଭାବେ ବିକ୍ରି କରୁଥିଲେ । ତେବେ ପୁଲିସ ଏ ସଂକ୍ରାନ୍ତରେ ଏକ କେସ୍ ରୁଜୁ କରି ଅନୁସନ୍ଧାନ ଚଳାଇଛି । ଏଥିସହିତ ଡେରେଙ୍ଗ ଲିପନ ସାହୁ (୨୬) ଠାରୁ ୨ ଶହ ଲିଟର ଚୋରା ଡିଜେଲ ଜବତ କରିଥିବା ବେଳେ ଲିପନକୁ ଗିରଫ କରି କଣିହାଁ ପୁଲିସ କୋର୍ଟଚାଲାଣ କରିଛି । ଉଭୟ ଘଟଣା ନେଇ କଣିହାଁ ଆଇଆଇସି ରାଜେନ୍ଦ୍ର ନାରାୟଣ ପଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।