ଅନୁଗୁଳ(ଜ୍ୟୋତିରଞ୍ଜନ ଧର) : ଜମିବାଡ଼ି ବିବାଦରୁ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ତଥା ରେଙ୍ଗାଳି ଥାନା ଅନ୍ତର୍ଗତ ସଂସାମରା ଗ୍ରାମରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗତକାଲି ଜଣକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଦୁଇ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ଗୋଟିଏ ପକ୍ଷର ଦୁଇ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ।
ଅପରାହ୍ନରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସଂଘର୍ଷରେ ଶ୍ରୀନିବାସ, ତାଙ୍କ ସାନଭାଇ ବିପ୍ଳବର ସାହୁ (୫୨) ଏବଂ ଭଣଜା ମନୋଜ ସାହୁ(୪୮) ଗୁରୁତର ଆହତ ହୋଇଥିଲେ । ରେଙ୍ଗାଳି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ବିଦେଶୀଙ୍କର ମୃତ୍ୟୁ ଘଟିଥିଲା। ବିଦେଶୀଙ୍କର ସାନଭାଇ ବିପିନ ବିହାରୀ ସାହୁ(୫୫) ଏ ନେଇ ରେଙ୍ଗାଳି ଥାନାରେ ଅଭିଯୋଗ କରିଛନ୍ତି। ଗତକାଲିର ଗଣ୍ଡଗୋଳ ମାମଲା ଆଜି ହତ୍ୟା ମକଦ୍ଦମାକୁ ପରିବର୍ତନ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ପୁଲିସ ପ୍ରତିପକ୍ଷର ଦିଲ୍ଲୀପ ଓ ପ୍ରଶାନ୍ତ ସାହୁ (୩୮)ଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି। ଜୟଶ୍ରୀଙ୍କ ପାଲଟା ଏତଲା ଆଧାରରେ ପୁଲିସ ଏକ କେସ୍ ରୁଜ୍ଜୁ କରି ଅନୁସନ୍ଧାନ ଚଳାଇଛି । ଉଭୟଙ୍କ ପରିବାର ମଧ୍ୟରେ ଜମିଜମା ବିବାଦ ଲାଗି ରହିଥିବା ବେଳେ ଗତକାଲି ଏହା ଉଗ୍ରରୂପ ନେଇଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି ।