କଟକ: ରାଜ୍ୟରେ ବଢ଼ି ଚାଲିଥିବା ଡ୍ରଗ୍ସ କାରବାର ଉପରେ ରୋକ ଲଗାଇବାକୁ ଆହୁରି ସୁଦୃଢ଼ ଓ ସଶକ୍ତ ହେବ ଏସଟିଏଫ। ଏଥିପାଇଁ ପ୍ରସ୍ତୁତ ହୋଇଛି ପୂରା ଆକ୍ସନ ପ୍ଲାନ ବୋଲି ଆଜି ଡିଜିପି ସୂଚନା ଦେଇଛନ୍ତି।
ଅଭୟ ସୂଚନା ଦେଇଛନ୍ତି କି, ରାଜ୍ୟରୁ ଡ୍ରଗ୍ସ କାରବାରର ମୂଳୋତ୍ପାଟନ କରିବାକୁ ଏସଟିଏଫରେ ଏକ ସ୍ୱତନ୍ତ୍ର ନାର୍କୋଟିକ୍ସ ୟୁନିଟ୍ ପ୍ରତିଷ୍ଠା କରାଯିବ। ଏଥିରେ ଜଣେ ଏସପି , ୩ ଡିଏସପିଙ୍କ ସହ ୨୭ ନୂଆ ପଦବୀକୁ ମଞ୍ଜୁରୀ ମିଳିଛି।
ଏହା ସହିତ ରାଜ୍ୟରେ ବଢ଼ି ଚାଲିଥିବା ଡ୍ରଗ୍ସ କାରବାରକୁ ରୋକିବାରେ ଓଡ଼ିଶା ପୁଲିସ୍ର ସ୍ପେଶାଲ୍ ଟାସ୍କ ଫୋର୍ସର ଭୂମିକାକୁ ଡିଜିପି ପ୍ରଶଂସା କରିଛନ୍ତି । ରାଜ୍ୟ ପୁଲିସ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି, ୨୦୨୦ ପରଠାରୁ ରାଜ୍ୟରେ ନିଶା କାରବାର ବିଶେଷ କରି ବ୍ରାଉନସୁଗର କାରବାର ବଢିଚାଲିଛି । ଏହି ଅନୁସାରେ ପୁଲିସ କାର୍ୟ୍ୟାନୁଷ୍ଠାନ ମଧ୍ୟ ବୃଦ୍ଧି ପାଇଛି । ୨୦୨୦ରେ ୩୫ କିଲୋଗ୍ରାମ ୬୧୬ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଥିବା ବେଳେ ୨୦୨୧ରେ ବର୍ତ୍ତମାନ ସୁଦ୍ଧା ୯ କେଜିରୁ ଅଧିକ ଓଜନର ବ୍ରାଉନସୁଗାର ଏବଂ ୧୫ଶହ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରାଯାଇଛି।