୩୦ ହଜାରରୁ ଅଧିକ ଅନାଥ ହୋଇଥିବା ପିଲାଙ୍କ ସୁରକ୍ଷା ମାମଲା ସୁପ୍ରିମକୋର୍ଟରେ

ନୂଆଦିଲ୍ଲୀ: କରୋନା ମହାମାରୀରେ ଗତବର୍ଷ ଏପ୍ରିଲ ୧ ତାରିଖରୁ ଚଳିତବର୍ଷ ଜୁନ୍ ୫ ତାରିଖ ମଧ୍ୟରେ ଦେଶର ତିନି ହଜାରରୁ ଅଧିକ ପିଲା ସେମାନଙ୍କ ଅଭିଭାବକଙ୍କ ହରାଇ ଅନାଥ ହୋଇଯାଇଛନ୍ତି। ରାଷ୍ଟ୍ରୀୟ ଶିଶୁ ଅଧିକାର ଅୟୋଗ (ଏନସିପିସିଆର) ତଥ୍ୟ ଅନୁଯାୟୀ ୨୬ ହଜାରରୁ ଅଧିକ ପିଲା ଯିଏ କି ସେମାନଙ୍କ ବାପା କିମ୍ବା ମା’ଙ୍କୁ ହରାଇଛନ୍ତି। ୩୦ ହଜାରରୁ ଅଧିକ ପିଲାଙ୍କ ଯତ୍ନ ନିଆଯିବା ଆବଶ୍ୟକ ବୋଲି ଅୟୋଗ ପକ୍ଷରୁ କୁହାଯାଇଛି।
ଅନାଥ ଶିଶୁଙ୍କ ଗୋପନୀୟତା ସାର୍ବଜନୀନ ନ କରିବା ପାଇଁ ଆୟୋଗ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ଆୟୋଗ କୋର୍ଟଙ୍କୁ ଜଣାଇଛନ୍ତି କି, ଦେଶରେ ୩୦ହଜାର ୭୧ ଶିଶୁଙ୍କ ଯତ୍ନ ନେବାର ଆବଶ୍ୟତା ଉପୁଜୁଛି । ଏଥିମଧ୍ୟରୁ ବାଳକଙ୍କ ସଂଖ୍ୟା ୧୫ ହଜାର ୬୨୦ ଥିବାବେଳେ ବାଳିକାଙ୍କ ସଂଖ୍ୟା ୧୪ ହଜାର ୪୪୭ ରହିଛି। ଏମାନଙ୍କ ମଧ୍ୟରେ ୪ ଜଣ ଟ୍ରାନ୍ସଜେଣ୍ଡର ଅଛନ୍ତି। ତଥ୍ୟ ସାର୍ବଜନୀନ ହେଲେ ପିଲା ଚୋରୀ, ଉତ୍ପୀଡନ ଆଦି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେବେ ଏହି ପିଲାମାନଙ୍କର ଅଭିଭାବକଙ୍କ ମୃତ୍ୟୁର କାରଣ କୋଭିଡ କି ଅନ୍ୟ କ’ଣ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ ବୋଲି ଅୟୋଗ କହିଛି।
ଏହି ପିଲାମାନଙ୍କ ମଧ୍ୟରେ ୮ରୁ ୧୩ ବର୍ଷ ବର୍ଗର ପିଲାଙ୍କ ସଂଖ୍ୟା ୧୧ ହଜାର ୮୧୫ ରହିଛି। ଅନ୍ୟ ଆୟୁବର୍ଗ ପିଲାଙ୍କ ତୁଳନାରେ ଏହି ବର୍ଗ ପିଲାଙ୍କ ସଂଖ୍ୟା ଅଧିକ। ସେହିପରି ୪-୭ ବର୍ଷର ୫ ହଜାର ୧୦୭ ଜଣ ପିଲା ପ୍ରଭାବିତ ହୋଇଛନ୍ତି। ମହାରାଷ୍ଟ୍ରରେ ୭ ହଜାର ୮୪ ପିଲାଙ୍କ ଦେଖାଶୁଣା ଓ ଯତ୍ନ ନେବା ଆବଶ୍ୟକ। ଉତ୍ତରପ୍ରଦେଶରେ ଏହି ସଂଖ୍ୟା ୩ ହଜାର ୧୭୨। ରାଜସ୍ଥାନରେ ଏହି ସଂଖ୍ୟା ୨ ହଜାର ୪୮୨। ହରିଆଣାରେ ଏହି ସଂଖ୍ୟା ୨ ହଜାର ୪୩୮। ମଧ୍ୟ ପ୍ରଦେଶରେ ୨ହଜାର ୨୪୩ ଏବଂ କେରଳରେ ଏପରି ପିଲାଙ୍କ ସଂଖ୍ୟା ୨ ହଜାର ୨।