କଟକ(ଜଗନ୍ନାଥ ମହାନ୍ତି): ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ନାଁ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା। ଏସବିଆଇ ଚେକ କ୍ଲିଅରାନ୍ସ ପାଇଁ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଚଉଳିଆଗଞ୍ଜ ଥାନାରେ ରୁଜୁ ହୋଇଥିବା ଏକ ମାମଲାର ଆଜି ପର୍ଦଫାସ ହୋଇଛି । ଏହି ଲୁଟ ମାମଲାରେ ଦୁଇ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ସୂଚନା ଅନୁସାରେ, ନୂଆବଜାର ଅଞ୍ଚଳରେ ରହୁଥିବା ରବି ନାରାୟଣ ମହାପାତ୍ରଙ୍କୁ ଏକ ଅଜଣା ନମ୍ବରରୁ ନକଲି ଏସବିଆଇ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜରଙ୍କ ଏକ ଫୋନ କଲ ଆସିଥିଲା । ଚେକ କ୍ଲିଅରାନ୍ସ ପାଇଁ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ମାଗିଥିଲେ ନକଲି ମ୍ୟାନେଜର ବାବୁ । ହେଲେ ଏହି କଥାକୁ ବାସ୍ତବ ଭାବି ରବି ଟଙ୍କା ପୈଠ କରିଥିଲେ। କିନ୍ତୁ ବ୍ୟାଙ୍କ ପକ୍ଷରୁ କୋୖଣସି ପ୍ରକାର ସୂଚନା ନ ମିଳିବାରୁ ମନରେ ସନ୍ଦେହ ଆସିଥିଲା ଓ ସଙ୍ଗେ ସଙ୍ଗେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ରବି । ତେବେ ଏହି ମାମଲାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଦୁଇ ଜଣଙ୍କ ଘଟଣାରେ ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା । ପୁରୀରୁ ସୁପ୍ରଭାତ ମହାପାତ୍ର ଏବଂ ଜଗତସିଂହପୁରରୁ ତନ୍ମୟ କୁମାର ବେହେରାଙ୍କୁ ଟ୍ରାକ କରିବା ପରେ ଗିରଫ କରିଛି ପୋଲିସ । ତେବେ ଅଭିଯୁକ୍ତକୁ ଗିରଫ ସହିତ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା , ଦାମୀ ମୋବାଇଲ ଫୋନ ଓ ବେନାମୀ ସିମ ଓ ଗୋଟିଏ ଗାଡି ଜବତ କରିଛି ପୋଲିସ । ତେବେ ଏହି ଦୁଇ ଜଣ ଅନେକ ନିରୀହ ଲୋକଙ୍କୁ ଠକିବାର ହୋଇଛନ୍ତି ସଫଳ ।