ଗାଜିଆବାଦ: ୟୁପିରେ କରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ସ୍ଥିତି ଏପରି ହୋଇଛି କି ଗୋଟିଏ ଗୋଟିଏ ଗାଁରୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗାଜିଆବାଦ ଜିଲ୍ଲା ସାହିବାବାଦ ଇନ୍ଦିରାପୁରମରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଇନ୍ଦିରାପୁରମର ଆମ୍ରପାଲି ଭିଲେଜ ରେ ଏବେ ୩୦୦ ଲୋକ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ଥିତି ଗମ୍ଭୀର ହୋଇଯାଇଛି । ସୋସାଇଟି ସଭାପତି ଦୀପକ କୁମାର କହିଛନ୍ତି ଯେ, ସୋସାଇଟିରେ ପ୍ରାୟ ୧୦୦୦ ଫ୍ଲାଟ୍ ଅଛି । ସୋସାଇଟିରେ ଲଗାତର ସଂକ୍ରମଣ ବୃଦ୍ଧି ପାଉଛି । ସୋସାଇଟିରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ । ଅପ୍ରେଲ ୧୦ ତାରିଖରୁ ଜଣେ ଦୋକାନୀଙ୍କ ସମେତ ସୋସାଇଟିର ୯ ବାସିନ୍ଦାଙ୍କ ମୃତ୍ୟୁ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ, ଇନ୍ଦିରାପୁରମ୍ ସ୍ଥିତ ଆମ୍ରପାଲି ଭିଲେଜ ସୋସାଇଟିକୁ ସୋମବାର ଜିଲ୍ଲା ପ୍ରଶାସନ ସିଲ୍ କରିଛି। ସୋସାଇଟିରେ ଆବଶ୍ୟକ ସେବା ଜାରି ରହିବ । କିନ୍ତୁ ସୋସାଇଟିରେ ଲୋକଙ୍କ ଚଳପ୍ରଚଳ ବନ୍ଦ କରାଯାଇଛି । ଲୋକଙ୍କୁ କ୍ଷୀର ଏବଂ ତେଜରାତି, ରୁଟି ଇତ୍ୟାଦି ଯୋଗାଇ ଦିଆଯିବ ।