କୋଲକାତା: ପଶ୍ଚିମବଙ୍ଗରେ ଟିଏମସିର ବିଜୟ ପରେ ମଧ୍ୟ ଥମୁନି ହିଂସା । ନିର୍ବାଚନ କାଳରେ ରାଜ୍ୟରେ ହିଂସା ଚାଲିଥିବା ବେଳେ ଫଳ ବାହାରିବା ପରେ ମଧ୍ୟ ଚାଲିଛି ହିଂସା । ଫଳାଫଳ ବାହାରିବା ପରଠାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଲାଣି ଓ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉଭୟ ବିଜେପି ଓ ଟିଏମସିର କର୍ମକର୍ତ୍ତା ଏହି ହିଂସାର ଶିକାର ହେଉଛନ୍ତି । ସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟ ତଲବ କରିଛି।
ବିଜେପି ଅଭିଯୋଗ କରିଛି ଯେ ଟିଏମସି ଆକ୍ରମଣରେ ଦଳର ୬ ଜଣ କର୍ମୀ ପ୍ରାଣ ହରାଇଛନ୍ତି। ସେହିପରି ଟିଏମସି ୪ ଜଣ କର୍ମୀଙ୍କୁ ହିଂସାକାଣ୍ଡ ଯୋଗୁ ହରାଇଥିବା କହିଛି। ବିଜେପିର ଅଭିଯୋଗ ଅନୁଯାୟୀ, କୋଲକାତାରେ ବିଜେପିର ଜଣେ କର୍ମୀ ଫେସବୁକରେ ସେୟାର କରିଥିଲେ କି, ଟିଏମସି କର୍ମକର୍ତ୍ତା ତାଙ୍କ ପୋଷା କୁକୁରକୁ ହତ୍ୟା କରିବା ସହ ତାଙ୍କୁ ମାଡ଼ ମାରିଥିଲେ । ସେହିପରି ଉତ୍ତର ୨୪ ପ୍ରଗଣାରେ ଜଣେ ବୟସ୍କ ମହିଳା ତାଙ୍କ ପୁଅକୁ ଟିଏମସି ଗୁଣ୍ଡାମାନଙ୍କ କବଳରୁ ଉଦ୍ଧାର କରିବା ବେଳେ ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ଫେସବୁକରେ ଭିଡିଓ ପୋଷ୍ଟ କରିଥିଲେ। ଏହାକୁ କେନ୍ଦ୍ର କରି ଟିଏମସି ଗୁଣ୍ଡାମାନେ ଭିଡିଓ ଜାରି କରିଥିବା ବ୍ୟକ୍ତିଙ୍କୁ କୋଲକାତାରେ ଆକ୍ରମଣ କରିଥିଲେ ବୋଲି ବିଜେପି କହିଛି। ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟା କହିଛନ୍ତି, ୪ ହଜାର ବିଜେପି କର୍ମୀଙ୍କ ଘର ଭଙ୍ଗାରୁଜା କରାଯାଇଥିବା ବେଳେ ୧୦୦ରୁ ଅଧିକ ଦୋକାନ ଲୁଟ୍ କରାଯାଇଛି। ବିଜେପିର ଛକଦା ବିଧାୟକ ବଙ୍କିମ ଘୋଷ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ନିର୍ବାଚନ କମିଶନକୁ ଦଳ ଅବଗତ କରାଇଥିବା ଜଣାପଡ଼ିଛି।
ହିଂସାକାଣ୍ଡକୁ ବେଙ୍ଗଲ ରାଜ୍ୟପାଳ ଜଗଦୀପ ଧାନକର ରାଜ୍ୟର ଗୃହ ସଚିବ, ଡିଜିପି ଓ କୋଲକାତା ପୁଲିସ୍ କମିଶନରଙ୍କୁ ସମନ କରିଛନ୍ତି। ଅନ୍ୟପକ୍ଷରେ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୁଇ ଦିନିଆ ବେଙ୍ଗଲ ଗସ୍ତରେ ଯାଉଛନ୍ତି। ସେ ସ୍ଥିତିର ଯାଞ୍ଚ କରିବା ସହ ଦଳର କର୍ମୀ ଓ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟିବେ। ବିଜେପି ମଧ୍ୟ ସମଗ୍ର ଦେଶରେ ଟିଏମସିର ଗୁଣ୍ଡାରାଜ ବିରୋଧରେ ବିକ୍ଷୋଭ କରିବ ବୋଲି ମଧ୍ୟ ଘୋଷଣା କରିଛି। ଅନ୍ୟପଟେ, ବିଜେପିର ଅଭିଯୋଗ ପରେ ଟିଏମସି ଅଭିଯୋଗ କରିଛି କି, ବିଜେପି ଗୁଣ୍ଡାମାନଙ୍କ ଆକ୍ରମଣରେ ଟିଏମସିର ୪ ଜଣ କର୍ମୀ ପ୍ରାଣ ହରାଇଛନ୍ତି। କଂଗ୍ରେସ ଓ ବାମଦଳ ସହ ମେଣ୍ଟ କରି ନିର୍ବାଚନ ଲଢ଼ୁଥିବା ଆଇଏସ୍ଏଫର ଜଣେ କର୍ମୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।