ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହୋଇଛି। ତେବେ ଏହି ବର୍ଗର ସମସ୍ତଙ୍କୁ ଟିକା ଦେବା ବର୍ତ୍ତମାନ ସ୍ଥିତିରେ ସମ୍ଭବ ନୁହେଁ । ଆବଶ୍ୟକତାଠୁ କମ ଟିକା ଥିବାରୁ ମୋଟ ୧୫୦୦ ଟିକା କେନ୍ଦ୍ର ମଧ୍ୟରୁ ମାତ୍ର ୨୫୬ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ସେହିପରି ଗ୍ରାମାଞ୍ଚଳରେ ୪୫ ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଚାଲୁ ରହିଛି । ଏବେ ରାଜ୍ୟରେ ମୋଟ ୪୬ ହଜାର ୨୨୦ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ବେଳେ ୩ ଲକ୍ଷରୁ ଅଧିକ କୋଭାକ୍ସିନ ଟିକା ଅଛି। ଆସନ୍ତା ୨ ଦିନ ମଧ୍ୟରେ ଆଉ ଟିକା ଆସିବା ସମ୍ଭାବନା ରହିଛି। ଆହୁରି ଅଧିକ ୨୫ ଲକ୍ଷ ଟିକା ପାଇଁ ଅର୍ଡର କରିଛନ୍ତି ରାଜ୍ୟ ସରକାର । ଯଦି ଟିକା ପହଞ୍ଚେ ତେବେ ପୁଣି ସବୁ କେନ୍ଦ୍ରରେ ଟିକାକରଣ ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।