ବାକି ୪ ନିର୍ବାଚନ ଏକକାଳୀନ କରିବାର ଯୋଜନା ନାହିଁ: ଇସି

ନୂଆଦିଲ୍ଲୀ: ଦେଶରେ ବଢିଚାଲିଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାକି ଥିବା ୪ ପର୍ଯ୍ୟାୟକୁ ଏକ କାଳୀନ କରିବା ଅନୁରୋଧକୁ ଗ୍ରହଣ କରି ନାହାନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନ ଅଫ ଇଣ୍ଡିଆ କହିଛନ୍ତି, ପଶ୍ଚିମ ବଙ୍ଗରେ ବାକି ଥିବା ୪ ପର୍ଯ୍ୟାୟ ନିର୍ବାଚନକୁ ଏକକାଳୀନ କରିବାକୁ ନେଇ କୌଣସି ଯୋଜନା ହୋଇନାହିଁ । ଦେଶରେ ଗୋଟିଏ ଦିନରେ ୨ ଲକ୍ଷ ସଂକ୍ରମିତ ଚିହ୍ନଟ ହେବା ପରେ ମମତା ବାନାର୍ଜୀ ବାକି ଥିବା ନିର୍ବାଚନକୁ ଏକକାଳୀନ କରିବାକୁ ଅପିଲ କରିଥିଲେ ।
ପଶ୍ଚିମ ବଙ୍ଗ ନିର୍ବାଚନ କମିଶନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି କି, ଏପର୍ଯ୍ୟ ରାଜ୍ୟର ବାକି ନିର୍ବାଚନକୁ ଏକାଥରେ କରିବାକୁ କୌଣସି ଯୋଜନା ହୋଇ ନାହିଁ । ଆସନ୍ତା କାଲି ରାଜ୍ୟର ସମସ୍ତ ରାଜନୈତିକ ଦଳ ସହ ରାଜ୍ୟ ସିଇଓଙ୍କ ଏକ ବୈଠକ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଦଳର ପ୍ରଚାର କାର୍ଯ୍ୟ କୋଭିଡ ଗାଇଡଲାଇନ ଅନୁପାଳନ ପୂର୍ବକ କରିବାକୁ ସୁନିଶ୍ଚିତ କରିବାକୁ କୁହାଯିବ । କୋଲକାତା ହାଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ରାଜ୍ୟ ସିଇଓ ଆରିଜ ଅଫତାବ ସର୍ବ ଦଳ ବୈଠକ ଡକାଇଛନ୍ତି । ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହି ବାକି ୪ ପର୍ଯ୍ୟାୟ ନିର୍ବାଚନ ପ୍ରଚାରକୁ କୋଭିଡ ପ୍ରୋଟୋକଲ ଅନୁଯାୟୀ କରାଇବାକୁ ସୁନିଶ୍ଚିତ କରିବାକୁ କୁହାଯିବ ।
ଚଳିତ ଥର ପଶ୍ଚିମ ବଙ୍ଗ ନିର୍ବାଚନକୁ ୮ଟି ପର୍ଯ୍ୟାୟରେ କରାଯାଉଛି । ୪ଟି ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ପଞ୍ଚମ ପର୍ଯ୍ୟାୟ ଶନିବାର ହେବାକୁ ଯାଉଛି । ବାକି ପର୍ଯ୍ୟାୟ ଯଥାକ୍ରମେ ଏପ୍ରିଲ ୨୨, ଏପ୍ରିଲ ୨୬ ଓ ଏପ୍ରିଲ ୨୯ରେ ଅନୁଷ୍ଠିତ ହେବ । ସମସ୍ତ ପର୍ଯ୍ୟାୟର ଭୋଟ ଗଣତି ମେ ୨ରେ ଅନୁଷ୍ଠିତ ହେବ ।