ମୁମ୍ବାଇ: ଦେଶରେ କରୋନା ସ୍ଥିତି ଉଦବେଗ ସୃଷ୍ଟି କରିଛି । ହସ୍ପିଟାଲରେ ବେଡ ନାହିଁ, ଅକ୍ସିଜେନ ନାହିଁ । ଅକ୍ସିଜେନ ଅଭାବରୁ ବହୁ ରୋଗୀଙ୍କ ମୃତ୍ୟୁ ହେଉଛି । ଏହି ମହାମାରୀ ବିରୋଧରେ ସରକାରଙ୍କ ଯୁଦ୍ଧରେ ସାମିଲ ହୋଇଛନ୍ତି ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀ । ସେ ତାଙ୍କ ରିଫାଇନେରୀ କାରଖାନାରେ ଅକ୍ସିଜେନ ଉତ୍ପାଦନ କରିବେ ।
ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟି ବିଶ୍ୱର ସର୍ବ ବୃହତ ରିଫାଇନାରୀ କମ୍ପାନୀ ମହାରାଷ୍ଟ୍ରରେ ଚଳାଉଛନ୍ତି । ଏହି ରିଫାଇନାରୀ ଇଣ୍ଡଷ୍ଟ୍ରିରୁ ମୁକେଶ ଅମ୍ବାନୀ ମୁମ୍ବାଇକୁ ଅକ୍ସିଜେନ ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି ବୋଲି କମ୍ପାନୀର ଜଣେ ଅଧିକାରୀ କହିଛନ୍ତି । ରିଲାଏନ୍ସଠାରୁ ରାଜ୍ୟ ୧୦୦ ଟନ ଗ୍ୟାସ ପାଇବ ବୋଲି ମହ।।ରାଷ୍ଟ୍ର ଅରବାନ ଡେଭେଲପ୍ମେଣ୍ଟ ମନ୍ତ୍ରୀ ଜଣାଇଛନ୍ତି । ଅନ୍ୟ ପଟେ କମ୍ପାନୀର ପ୍ରବକ୍ତା କହିଛନ୍ତି, କମ୍ପାନୀର ରିଫାଇନାରୀ ଉତ୍ପାଦନରେ ବ୍ୟବହୃତ ଅକ୍ସିଜେନର ପ୍ରକ୍ରିୟାକରଣ କରାଯାଇ ଏହାକୁ ଚିକିତ୍ସାରେ ବ୍ୟବହାର ଉପଯୋଗି କରାଯାଉଛି । ସେହିପରି ଭାରତ ପେଟ୍ରୋଲିୟମ କର୍ପୋରେସନ ମଧ୍ୟ ତାର କୋଚି ରିଫାଇନାରୀ ୟୁନିଟରେ ୨୦ ଟନ ଚିକିତ୍ସା ଉପଯୋଗୀ ଅକ୍ସିଜେନ ଯୋଗାଇ ଦେଇଛି ।
ଦେଶରେ କରୋନାର ଦ୍ୱିତୀୟ ଲହର ବ୍ୟାପକ ଓ ଭୟଙ୍କର ହେବାରେ ଲାଗିଛି । ଗଣମାଧ୍ୟମରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ନେଇ ଖବର ପ୍ରକାଶ ପାଉଛି । ଦେଶରେ ଅକ୍ସିଜେନ ଅଭାବ ଦୂର କରିବାକୁ ରିଫାଇନାରୀରେ ବ୍ୟବହୃତ ଅକ୍ସିଜେନକୁ ଚିକିତ୍ସା ଉପଯୋଗୀ କରିବାକୁ ଆଗେଇ ଆସିଛନ୍ତି ରିଫାଇନାରୀ କମ୍ପାନୀଗୁଡିକ ।