ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସୀମାବର୍ତ୍ତି ଜିଲ୍ଲାଗୁଡିକରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ନିମନ୍ତେ ଆଜି ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରଦୀପ୍ତ କୁମାର ମହାପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପଶ୍ଚିମ ଓଡିଶା ଗସ୍ତ କରିଛନ୍ତି । ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା ଜିଲ୍ଲାର କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଉଚ୍ଚ ସ୍ତରୀୟ ଟିମ୍ ଭୀମସାର୍ କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରିବା ସହିତ ସେଠାର ଚିକିତ୍ସା ବ୍ୟବସ୍ଥା, ଉପକରଣ , ଔଷଧ ପତ୍ର ଆଦିର ସମୀକ୍ଷା କରିଛନ୍ତି। ଭୀମସାର ଠାରେ ଥିବା ଭେଷଜ ୱାର୍ଡର ନୂତନ ବିଲ୍ଡିଂକୁ ୩୦୦ ବେଡ୍ ବିଶିଷ୍ଟ ଅତିରିକ୍ତ କୋଭିଡ୍ ହସ୍ପିଟାଲ୍ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୨୫୦ ଟି ବେଡ୍ ଏବଂ ୫୦ ଟି ଆଇ.ସି.ୟୁ. ବେଡ୍ ବ୍ୟବସ୍ଥା କରିବା ନିମନ୍ତେ ନିଷ୍ପତି ହୋଇଛି। ରୋଗୀମାନଙ୍କ ପାଇଁ ଅମ୍ଳଜାନ ସୁବିଧା ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ୧୦ ଦିନ ମଧ୍ୟରେ କାର୍ୟ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ। ଏହା ସହ ଭୀମସାର ଠାରେ ପୂର୍ବରୁ ଥିବା କୋଭିଡ୍ ହସ୍ପିଟାଲ୍ ରେ ବେଡ୍ ଓ ଆଇ.ସି.ୟୁ. ସଂଖ୍ୟା କୁ ଯଥାକ୍ରମେ ୧୭୫ ଓ ୫୦ କୁ ବୃଦ୍ଧି କରାଯିବାକୁ ନିଷ୍ପତି ନିଆଯାଇଥିଲା। ଏହିପରି ଭାବେ ଭୀମସାର୍ କୋଭିଡ୍ ହସ୍ପିଟାଲ୍ କ୍ଷମତା କୁ ମୋଟ ୫୨୫ ବେଡ୍ ପର୍ୟ୍ୟନ୍ତ ବୃଦ୍ଧି କରାଯିବ।
ସମୀକ୍ଷା ପରେ ପରେ ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ, ବର୍ତ୍ତମାନ ଝାରସୁଗୁଡା,ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପର୍ୟ୍ୟାପ୍ତ ପରିମାଣରେ ଔଷଧ ଓ ଚିକିତ୍ସା ଉପକରଣ ମହଜୁଦ ଅଛି। ପଡେ଼ାଶୀ ରାଜ୍ୟ ମାନଙ୍କରେ କୋଭିଡ୍ ସଂଖ୍ୟା ବୃଦ୍ଧି ପରିପ୍ରେ୍ଷୀରେ ଏହି ଜିଲ୍ଲା ମାନଙ୍କରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ନିମନ୍ତେ ସମସ୍ତ ପ୍ରକାରର ଆବଶ୍ୟକୀୟ ପଦକ୍ଷେପ ନିଆଯିବ ଏବଂ ଆବଶ୍ୟକୀୟ ସଂଖ୍ୟକ ବେଡ୍, ଆଇ.ସି.ୟୁ., ଭେଣ୍ଟିଲେଟର ଆଦିର ବ୍ୟବସ୍ଥା କରାଯିବ।
ଏହି ଗସ୍ତ ସମୟରେ ସ୍ଵାସ୍ଥ୍ୟ ନିର୍ଦେଶକ ଡ଼ା.ବିଜୟ କୁମାର ମହାପାତ୍ର, ଡି.ଏମ୍. ଇ. ଟି. ନିର୍ଦେଶକ ଡା. ସି.ବି.କେ. ମହାନ୍ତି, ସମ୍ବଲପୁର ଜିଲ୍ଲାପଳ ଶ୍ରୀ ଶୁଭମ୍ ସକସେନା, ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ , ବରଗଡ଼ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ସମେତ ଜିଲ୍ଲାଗୁଡିକର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି କ୍ଷେତ୍ର ସ୍ତରୀୟ ସ୍ଥିତି ଓ ତଥ୍ୟ ଉପସ୍ଥାପନ କରିଛନ୍ତି।