(ଓମ୍ ପ୍ରକାଶ ମିଶ୍ର / ସୋନପୁର): ଆରମ୍ଭ ହୋଇଛି ଶୀତ ଋତୁ । କାର୍ତ୍ତିକ ମାସର ପ୍ରଥମ ସପ୍ତାହରେ ପ୍ରକୃତି କାକରରେ ଗଛଲତା ଓଦା ସରସର ଥିବାବେଳେ ପହିଲି ଶୀତର ମଜା ବି ନେଉଛନ୍ତି ଲୋକେ । ରାଜ୍ୟର ସବୁଠୁ ଅଧିକ ଥଣ୍ଡା ସ୍ଥାନ ସୁବର୍ଣ୍ଣପୁରରେ ପାରଦ ଖସି ଆସି ୯ ଡିଗ୍ରି ତଳକୁ । ତେବେ ପହିଳି ଶୀତର ଗୀତକୁ ନେଇ ଦେଖିବା ଏକ ସ୍ୱତନ୍ତ୍ର ରିପୋର୍ଟ ।
ପ୍ରକୃତିର ସୁବର୍ଣ୍ଣ ଭୁଖଣ୍ଡରେ ପାଦଥାପିଛି ଶୀତ । ରାତିର ପରସ୍ତ ପରସ୍ତ କାକରରେ ଜଡି ଯାଇଛି ଗଛ ଲତା, ଘାସ ଆଉ ପତ୍ର । ସକାଳର ମିଠା ମୁହୂର୍ତରେ ହସୁଛି ପୃଥିବୀ ତ ଚଳଚଂଚଳ ସୁନାମାଟିର ଲୋକ । କିଏ ସ୍ୱାସ୍ଥ୍ୟ ପାଇଁ ମର୍ଣ୍ଣି ୱାକ୍ରେ ବ୍ୟସ୍ତ ତ କିଏ ଜୀବନ ଜିବିକା ପାଇଁ ହୋଇ ଉଠିଛି କର୍ମ ତତ୍ପର । ସକାଳୁ ସକାଳୁ ସତେ ଯେମିତି ଲାଗୁଛି ମହାନଦୀର ଧାରେ ଧାରେ ସୁବର୍ଣ୍ଣପୁରକୁ ଆସିଛି ଶୀତ, ଗାଉଛି ଶୀତର ଗୀତ ।
ଏମିତି ଏକ ଶୀତ ବେଳାରେ ଯୁବଗୋଷ୍ଠୀ ଖେଳ କୁଦରେ ମାତିଥିବାବେଳେ ପାର୍କରେ କେହି କେହି ଶରୀର ଓ ମନକୁ ସୁସ୍ଥ ରଖିବାକୁ କରୁଛନ୍ତି ଯୋଗ । ଶୀତର ଅନୁଭବକୁ ଆହୁରି ଆପଣାର କରୁଛି ସକାଳର ଘନକୁହୁଡି । ବିଳମ୍ବରେ ଆସିଛି ଶୀତ, ହେଲେ ଆସୁ ଆସୁ ଘନ କୁହୁଡିର ବୁଢିଆଣୀ ଜାଲରେ ସତେ ଯେମିତି ଛନ୍ଦି ହୋଇଯାଇଛି ବୁନ୍ଦାଏ କାକର । ହାଲକା ହାଲକା ଶୀତ ସହ ମିତ ବସିବାକୁ ପ୍ରକୃତି ମୁକୁଳି ଯାଇଥିବାବେଳେ ଶୀତର ମଜାକୁ ସାଉଁଟୁଛନ୍ତି ଲୋକ ।