(ଭୁବନେଶ୍ୱର/ସରୋଜ ରାଉତ): ଦୀର୍ଘ ସାଢେ ୩ ଘଣ୍ଟାର ପରିଶ୍ରମ ପରେ ଖାରବେଳ ନଗର ପୁଲିସ ଜଣେ ବ୍ୟକ୍ତିଙ୍କୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଏପରି ଘଟଣା ଦେଖିବାକୁ ମିଳିଛି ଖାରବେଳ ନଗର ଥାନା ଅଧୀନ ଓଡିଶା ରାଜ୍ୟ କୃଷି ସମବାୟ ବ୍ୟାଙ୍କ ଅଫିସରେ । ଅଫିସ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ କର୍ମଚାରୀଙ୍କ ଜୀବନ ରକ୍ଷା କରିଛି ପୁଲିସ ।
ଖବରରୁ ଜଣାପଡିଛି, ଆଜି ଦିନ ୧୧ଟା ୩୦ ମିନିଟରେ ଜଣେ ବ୍ୟକ୍ତି ଅଫିସ ଭିତରୁ କବାଟ ଦେଇ ଆତ୍ମହତ୍ୟା କରିଥିଲେ । ଏନେଇ ବ୍ୟାଙ୍କ କର୍ମଚାରୀ ପୁଲିସକକୁ ଖବର ଦେଇଥିଲେ । ପୁଲିସ କାଳ ବିଳମ୍ବ ନ କରି ସେଠାରେ ପହଞ୍ôଚିଥିଲା । ସ୍ଥିତିର ଅନୁଧ୍ୟାନ କରିଥିଲା । ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରି ପରିବାର ଲୋକଙ୍କୁ ଏନେଇ ସୂଚନା ଦେଇଥିଲା । ପରିବାର ବର୍ଗ ସେଠାରେ ପହଞ୍ଚଥିଲେ । ବ୍ୟାଙ୍କ କର୍ମଚାରୀ ଓ ପରିବାର ଲୋକଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ପୁଲିସ ଉକ୍ତ କର୍ମଚାରୀଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରିବା ସହ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି ।
ଅନ୍ୟ ପକ୍ଷରେ ଆଠ ମାସ ହେଲା ଓଡିଶା ସରକାରଙ୍କ ଅଧୀନରେ ଥିବା ଏହି ବ୍ୟାଙ୍କ କର୍ମଚାରୀ ଦରମା ପାଇନଥିବା ଅଭିଯୋଗ ହୋଇଛି । ଫଳରେ କର୍ମଚାରୀମାନେ ଉଭୟ ଶାରୀରିକ ଓ ମାନସିକ ଚାପ ମଧ୍ୟରେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ଏନେଇ ବ୍ୟାଙ୍କ ମୁଖ୍ୟଙ୍କଠାରୁ ଆରମ୍ଭ କରି ସରକାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ସ୍ଥିତିରେ ସୁଧାର ନ ଆସିଲେ ଆଗାମୀ ଦିନରେ ସମସ୍ତ କର୍ମଚାରୀ ଏହି ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।