ଅସହାୟ ପରିବାର ,ପାଲ ତଳେ କଟୁଛି ଜୀବନ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): କେହି ରହିବେ ନାହିଁ ଖୋଲା ଆକାଶ ତଳେ, ଚିକିତ୍ସାରେ କାହାପାଇଁ ଅର୍ଥ ସାଜିବନି ବାଧକ । ଏକଥା ଆମେ କହୁନୁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଏହି କଥାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ କାହାଣି ଦେଖାଇବୁ ତାହା ଉପାନ୍ତ ଜିଲ୍ଲାରେ ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ଅନେକ ଯୋଜନାର ମୁଖା ଖୋଲିଦେବ । ୩ ଫୁଟ ଉଚ୍ଚର ପଲିଥିନ ତିଆରି ଘର । ଆଉ ଏହା ମଧ୍ୟରେ ବସବାସ କରନ୍ତି ଗୋଟିଏ ଅସହାୟ ପରିବାର । ପରିବାର କହିଲେ ୮ ବର୍ଷର ଝିଅ, ମାଆ ଓ ରୋଗିଣା ବାପା । କଥାଟି ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି କିଛି ଏଭଳି ଚିତ୍ର ଦେଖିବାକୁ ମିଳିଛି ମାଲରାନଗିରି ଜିଲ୍ଲା ସଦର ମହକୁମାରେ । ରୋଗିଣା ସ୍ବାମିଙ୍କ ଚିକିତ୍ସା ନିମନ୍ତେ ବିକ୍ରି ହୋଇଗଲା ସବୁ ସମ୍ପତ୍ତି ଓ ନିଜର ଝାଟି ମାଟି ଘର । ଆଉ ଏହାପରେ ନିଜର ସର୍ବସ୍ବ ହରାଇ ଏହି ଅସହାୟ ପରିବାର ବର୍ତ୍ତମାନ ଏକ ପରିତ୍ୟକ୍ତ ସ୍ଥାନରେ ଜୀବନ ବିତାଉଛନ୍ତି । ଗୋଟିଏ ଓଳିର ପରିବାରର ଭୋକ ମେଣ୍ଟାଇବା ସକାଶେ ନିଜର ଆସାବାବ ପତ୍ର ବିକ୍ରି କରିବାକୁ ପଡୁଛି ଏହି ଅସହାୟ ପରିବାରକୁ । ଅସହାୟଙ୍କ ଉଦ୍ଧାର କରିବା ସକାଶେ ସରକାରଙ୍କ ବିଭିନ୍ନ ଯୋଜନା ଥିଲେ ହେଁ ଏହି ପରିବାରର କୌଣସି କାର୍ୟ୍ୟରେ ଆସୁନି ।ଚାରି ବର୍ଷ ହେବ ରୋଗରେ ପିଡିତ ଅଛନ୍ତି ଏମ୍.ଭି.୪୩ ଗ୍ରାମର ପରିମଳ ବିଶ୍ବାସ । ପେଷାରେ ସେ ଜଣେ ଦିନ ମଜୁରିଆ । ସରକାରୀ ସହାୟତା ସକାଶେ ଅଫିସରୁ ଅଫିସ ବୁଲି ବୁଲି କ୍ଲାନ୍ତ ହୋଇ ପଡିଛନ୍ତି ପରିମଳ । ଶେଷରେ ବଞ୍ଚିବାର କିଛି ଉପାୟ ନପାଇ ଅଳ୍ପ କିଛି ଟଙ୍କା ଯୋଗାଡ ହେଲେ ବିଷ ଟିକେ କିଣି ଆଣି ନିଜେ ଖାଇବେ ଓ ନିଜ ପରିବାରକୁ ଖୁଆଇବା ଚିନ୍ତା କରୁଛନ୍ତି ପରିମଳ । ଏହି ଖବର ଶୁଣି ମାଲକାନଗିରି ସହରର ବିନୋଦ ଟାୱରୀ ନାମକ ସହୃଦୟ ବ୍ୟକ୍ତି ତାଙ୍କର ପରିବାରର ଭରଣ ପୋଷଣ ନିମନ୍ତେ ୨୦,୦୦୦/- ଟଙ୍କାର ଆର୍ଥିକ ସାହାଯ୍ୟ କରିବା ସହ ପରିମଳର ଚିକିତ୍ସା ନିମନ୍ତେ ସରକାର ଖର୍ଚ୍ଚ ବହନ କରିବା ନିମନ୍ତେ ଆମ ମାଧ୍ୟମରେ ସରକାରଙ୍କ ଠାରେ ଗୁହାରି କରିଛନ୍ତି ।