ପ୍ରୋତ୍ସାହନ ଅଭାବରେ ମହିଳା ଖେଳାଳି ସ୍ନେହାମଞ୍ଜୁରୀ

(ଗୋଲାପ ସାହୁ / କଳାହାଣ୍ଡି): ବଣମଲ୍ଲି ଯେମିତି ବଣରେ ଫୁଟି ମୌଉଳି ଯାଏ, ତାର ସୁନ୍ଦରତା ଓ ବାସ୍ନାର କିଛି ଲୋକଲୋଚନକୁ ଆସିପାରେ ନାହିଁ। ସେହିପରି ଏକ ପ୍ରତିଭାବାନ କୃତିତ୍ୱ ମହିଳା ଖେଳାଳି ସ୍ନେହାମଞ୍ଜୁରୀ। ପରିବାରର ଆର୍ଥିକ ପରିସ୍ଥିତି ଓ ସରକାରୀ ସହାୟତା ଅଭାବ ଯୋଗୁଁ ସେ ବର୍ତ୍ତମାନ ଅବହେଳିତ ଅବସ୍ଥାରେ ରହିଛନ୍ତି।ତାଙ୍କ ସପ୍ନ ଯେମିତି ସପ୍ନ ହୋଇ ରହିଯାଇଛି । ଏହା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ଅନ୍ତର୍ଗତ ବିଜମରା ଗ୍ରାମପଞ୍ଚାୟତ ପାଣି ଗାଁରେ ରହୁଥିବା ସ୍ନେହାମଞ୍ଜୁରୀଙ୍କ କଥା।ସ୍ନେହାମଞ୍ଜୁରୀଙ୍କ ବାପା ଜଣେ ଟେଲର ହୋଇଥିବା ବେଳେ ମା ଜଣେ ଅଙ୍ଗନବାଡି କର୍ମୀ।ଦୁହିଁଙ୍କ ରୋଜଗାରରେ ପରିବାର ଚଳେ । ସ୍ନେହାମଞ୍ଜରୀ ଦଶମ ଯାଏ ନିଜ ଗାଁ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରେ ପଢିଥିବା ବେଳେ ଯୁକ୍ତ ଦୁଇ ଜୁନାଗଡ଼ ପ୍ରିୟଦର୍ଶୀନି ମହାବିଦ୍ୟାଳୟ ଓ ଯୁକ୍ତ ତିନି ଭବାନୀପାଟଣା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି।ସ୍କୁଲରୁ ହି ତାଙ୍କ ଖେଳ ପ୍ରତି ରୁଚି ରହିଥିବା ବେଳେ ଯୁକ୍ତ ଦୁଇ ୨୦୧୪-୧୫ ରେ ବ୍ୟାଡମିଣ୍ଟନ ଓ କବାଡି ରେ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।ପୁନଶ୍ଚ ୨୦୧୬-୧୭ ରେ ମୁଖ୍ୟମନ୍ତ୍ରୀ ବେଷ୍ଟ ଟ୍ରେନି ମାନପତ୍ର ଓ ମେଡାଲ ଭୁବନେଶ୍ୱରରେ ପାଇଥିଲେ।୨୦୧୮ରେ ଉତ୍କଳ କରାଟେରେ ମାଷ୍ଟର ଟ୍ରେନି(ଆତ୍ମରକ୍ଷା) ମାନପତ୍ର ଓ ମେଡାଲ ପାଇଥିବା ବେଳେ ପୁଣି ବେଷ୍ଟ ଫାଇରିଂରେ ଗୋଲ୍ଡ ମେଡାଲ ଭାରତୀୟ ନୌସେନା ବେସ ଚିଲିକା ଓ ଡ୍ରିଲରେ ବ୍ରୋଞ୍ଜ ମେଡାଲ କର୍ଣ୍ଣାଟକରେ ଜାତୀୟ ସ୍ତରରେ ପାଇଥିଲେ।୨୦୧୯ ରେ ୟାଚିଂ ରେ ଭାରତୀୟ ନୌସେନା ବେସ ଚିଲିକାରେ ଜାତୀୟ ସ୍ତରରେ ଗୋଲ୍ଡ ମେଡାଲ ପାଇଥିଲେ ।
ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଯୋଜନା କେତେ ସଫଳ ତାହା ଏଠି ପ୍ରମାଣିତ କରୁଛି ।ଜଣେ ଓବିସି ବର୍ଗର ଝିଅ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଳାହାଣ୍ଡିର ଯେଉଁଠି ସହଜରେ ଝିଅମାନେ ବାହାରକୁ ଆସନ୍ତି ନାହିଁ ସେଠି ଏମତି ପ୍ରତିଭାକୁ ଅନାଦର କେତେ ଦୁର୍ଭାଗ୍ୟଜନକ। କଳାହାଣ୍ଡି ପ୍ରଶାସନ ତଥା ରାଜ୍ୟ ସରକାର ସହାୟତା ଯୋଗାଇଦେବାକୁ ଦାବି ହୋଇଛି।