(ଓମ୍ ପ୍ରକାଶ ମିଶ୍ର / ସୋନପୁର): ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ଜଙ୍ଗଲ । ସଚେତନତା ଅଭାବରୁ ଲୋକେ ବୃକ୍ଷକୁ କାଟି ଦେଉଥିବାରୁ ବଢି ବଢି ଚାଲିଛି ପ୍ରାକୃତିକ ବିପର୍ୟ୍ୟୟ । ଏଣୁ ଲୋକଙ୍କୁ ବ୍ୟାପକ ସଚେତନ କରାଯିବା ସହ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କରାଯାଉଛି ବୃକ୍ଷରୋପଣ । ହେଲେ ରକ୍ଷକ ଯଦି ଭକ୍ଷକ ସାଜେ ତାହେଲେ କହିବା କାହାକୁ । ଖୋଦ କେନ୍ଦୁପତ୍ର ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ବୃକ୍ଷକୁ କାଟିଦିଆଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ରେଂଜ ଅନ୍ତର୍ଗତ ବିଶିମୁଣ୍ଡା କେନ୍ଦୁପତ୍ର ବନାଂଚଳ କାର୍ୟ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବନ ବିଭାଗର ବିନା ଅନୁମତିରେ କାର୍ୟ୍ୟାଳୟ ପରିସରରେ ଥିବା ଶିଶୁ,ସାଗୁଆନ,ୟୁକାଲିପଟାସ ଏବଂ ଆକାଶି ଭଳି ମୁଲ୍ୟବାନ ବୃକ୍ଷକୁ କାଟି ବିକ୍ରୀ କରିବାର ଯୋଜନା ହୋଇଛି । ଏଭଳିକି ପରିସରରେ ଥିବା ଆହୁରୀ ଅନେକ ମୁଲ୍ୟବାନ ଗଛକୁ କାଟିବାପାଇଁ ପ୍ରସ୍ତୁତ କରାଯାଇଥିବା ଦେଖିବାକୁ ମିଳିଛି । ସେପେଟେ ବନ ବିଭାଗ ପକ୍ଷରୁ ଏନେଇ କୌଣସି ଅନୁମତି ଦିଆଯାଇନଥିବା ଖୋଦ ଡିଏଫଓ କହିଛନ୍ତି । ସାଧାରଣ ଲୋକ ବିନା ଅନୁମତିରେ ଗଛ କାଟିଲେ ତାକୁ ଦଣ୍ଡ ବିଧାନ ଥିବାବେଳେ ଏବେ କେନ୍ଦୁପତ୍ର ଅଧିକାରୀଙ୍କ ଏଭଳି ଗଛକଟା ପରେ ସେମାନଙ୍କ ବିରୁଦ୍ଧରେ କଣ କାର୍ୟ୍ୟାନୁଷ୍ଠାନ ନେଉଛି ବନ ବିଭାଗ ତାହା ଦେଖିବାକୁ ବାକି ରହିଲା ।