ଜାଲିଆତିକାରୀଙ୍କୁ ପ୍ରାର୍ଥୀ କରିବା ସ୍ୱଚ୍ଛତାର ସାମ୍ପ୍ରତିକ ରୂପରେଖ

ଭୁବନେଶ୍ୱର/ଶିଳାସ୍ମିତା ରାୟ: ବିଜେଡି ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ ତାର ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ପାଇଁ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲା ଯାଇଛି । ବାଲେଶ୍ୱରରୁ ପ୍ରାର୍ଥୀ ହୋଇଥିବା ସ୍ୱରୂପ ପୂର୍ବରୁ ବିଜେଡି କର୍ପୋରେଟର ଭାବେ କାର୍ଯ୍ୟ ତୁଲାଇଛନ୍ତି । ତଥାପି ଏହାକୁ ନେଇ ସେଠାରେ ଦେଖା ଦେଇଛି ବିରୋଧ । ଅନ୍ୟ ପଟେ ତିର୍ତ୍ତୋଲ ପ୍ରାର୍ଥୀ ଚୟନ ପରେ ବିଜେଡିର ସ୍ୱଚ୍ଛତାକୁ କରାଯାଉଛି ସମାଲୋଚନା । ବିଜୟ ଶଙ୍କର ସେହି ପରୀକ୍ଷାର୍ଥୀ ଯାହାଙ୍କ ନାମରେ ମାର୍କ ଜାଲିଆତି ଅଭିଯୋଗ ଆସିଥିଲା ତଥା କୋର୍ଟ ତାଙ୍କୁ ୭ ବର୍ଷ ଦଣ୍ଡାଦେଶ ମଧ୍ୟ ଦେଇଥିଲେ ।
ଆପଣମାନଙ୍କର ମନେ ଥିବ ୨୦୦୭ରେ ସ୍ୱର୍ଗତ ବିଷ୍ଣୁ ଦାସ ଥିଲେ ଶିକ୍ଷା ମନ୍ତ୍ରୀ । ସେହିବର୍ଷ ତାଙ୍କ ସୁପୁତ୍ର ତଥା ବର୍ତ୍ତମାନ ତିର୍ତ୍ତୋଲ ଆସନରୁ ପ୍ରାର୍ଥୀ କରାଯାଇଥିବା ବିଜୟ ଶଙ୍କର ଦେଇଥିଲେ ମେଟ୍ରିକ ପରୀକ୍ଷା । ପରୀକ୍ଷା ଫଳ ବାହାରିଲା । କିନ୍ତୁ ସେହି ବର୍ଷ ଅଗଷ୍ଟରେ ମନ୍ତ୍ରୀ କିପରି ପୁତ୍ର ମୋହରେ ଅନ୍ଧ ହୋଇ ଜାଲି ସାର୍ଟିଫିକେଟ ବାହାର କରିଥିଲେ ତାହା ଜଣାପଡିଲା । ମନ୍ତ୍ରୀଙ୍କ ସୁପାରିଶରେ ବିଜୟ ଶଙ୍କରର ମୂଳ ମାର୍କ ସିଟ ବଦଳା ଯାଇଥିଲା । ସବୁ ବିଷୟରେ ନମ୍ବର ବଢାଇ ଦିଆଯାଇଥିଲା । ଓଡିଆରେ ୩୯ ନମ୍ବର ପରିବର୍ତ୍ତେ ୮୯, ଇଂରାଜୀରେ ୫୦ ବଦଳରେ ୮୦, ଗଣିତ ପେପର-୨ରେ ୪୦ ଜାଗାରେ ୬୦, ବିଜ୍ଞାନରେ ୪୦ ବଦଳରେ ୫୦ ଓ ସୋସିଆଲ ସାଇନ୍ସ ପେପର ୨ରେ ୪୫ ବଦଳରେ ୫୪ କରାଯାଇଥିଲା । ଏହି ଜାଲିଆତିରେ ବାପାଙ୍କୁ ଛାଡିବାକୁ ହୋଇଥିଲା ମନ୍ତ୍ରୀପଦ । ବିଭିନ୍ନ ଧାରାରେ ପୁଅଙ୍କୁ ହୋଇଥିଲା ୭ ବର୍ଷର ଜେଲ ଦଣ୍ଡାଦେଶ ।
ଏହି ଘଟଣାକୁ ନେଇ ସେହି ସମୟରେ ରାଜ୍ୟରେ ବେଶ ହଟଚମଟ ହୋଇଥିଲା । ଲୋକଙ୍କ ଦୃଷ୍ଟିରେ ସ୍ୱଚ୍ଛତା ପ୍ରତିପାଦନ କରିବାକୁ ବିଷ୍ଣୁ ଦାସ ନୈତିକାତା ଦୃଷ୍ଟିରୁ ଇସ୍ତଫା ଦେଲେ ମନ୍ତ୍ରୀ ପଦରୁ । ତାଙ୍କ ବିୟୋଗ ପରେ ସେହି ଆସନରୁ ବିଜେଡି ପ୍ରାର୍ଥୀ କରୁଛି ତାଙ୍କ ସୁପୁତ୍ରଙ୍କୁ । ଜାଲିଆତି ଯାହାଙ୍କ ରକ୍ତରେ ରହିଛି, ହୁୁଏତ ବଂଶଗତ ହାସଲ ହୋଇଥିବା ଗୁଣ । ଏତେ ବେଳକୁ ବିଜେଡିର ନୀତି, ଆଦର୍ଶ, ସ୍ୱଚ୍ଛତା ସବୁ ଯାଇଛି ଚୁଲିକୁ । ଖାଲି ମିଛଟାରେ ସ୍ୱଚ୍ଛତାର ଡିଣ୍ଡିମ ପିଟି ଲୋକଙ୍କୁ ଭୁଆଁ ବୁଲା ଯାଉଛି । ବିଜେଡିର ଏକ ମାତ୍ର ଉଦ୍ଦେଶ୍ୟ ଭୋଟ ହାତେଇବା । ବିଷ୍ଣୁ ଦାସଙ୍କ ନାମରେ ସହାନଭୂତି ହାତେଇବା ।
ଅବଶ୍ୟ ସହାନଭୂତି ହେଉଛି ବିଜୁ ଜନତା ଦଳର ମୂଳଦୁଆ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଗଠନ କରାଗଲା ଦଳ । ଏଥିରେ ରାଜନୀତିର “ର’ ଜାଣିନଥିବା ନବୀନ ପଟ୍ଟନାୟକଙ୍କୁ ଭିଡି ଆଣି ଲୋକଙ୍କ ସହାନଭୂତି ସାଉଁଟି କରା ଗଲା ମୁଖ୍ୟମନ୍ତ୍ରୀ । ୨୧ ବର୍ଷ ଧରି ବିଜୁ ବାବୁଙ୍କୁ ଆଗରେ ରଖି, ତାଙ୍କ ନୀତି ଆଦର୍ଶର ଦ୍ୱାହି ଦେଇ ଲୋକଙ୍କୁ ଭୁଆଁ ବୁଲାଯାଉଛି, ହାତେଇ ନିଆଯାଉଛି ଭୋଟ । ସେହି ସହାନଭୂତି ସାଉଁଟିବା ଫର୍ମୁଲା ସବୁବେଳେ ବିଜେଡି ଆପ୍ଲାଏ କରି ଚାଲିଛି ଓ ନୀରିହ ଓଡିଆଙ୍କ ଭାବନା ସହ ଖେଳି ଚାଲିଛି । ହୁଏତ ଲୋକଙ୍କ ଭାବନା ସହ ଖେଳିବା ନବୀନଙ୍କ ନୈତିକତା? ବର୍ତ୍ତମାନ ପରିସ୍ଥିତିରେ ଏହା ସ୍ୱଚ୍ଛତାର ରୂପରେଖ?