(ସେଖ ଫାଇଜାନ କାଦରୀ / ଭଦ୍ରକ): ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବେଆଇନ ମଦ କରବାର ବଢିବା ସହ ମାଫିଆଙ୍କ ଦାଦାଗିରି ବଢିବାରେ ଲାଗିଛି । ବେଆଇନ ଦେଶୀ ମଦ ଜବତ କରିବାକୁ ଯାଇଥିଲା ବେଳେ ମଦ ମାଫିଆଙ୍କ ଆକ୍ରମଣରେ ଇନ୍ସପେକ୍ଟରଙ୍କ ସହ ୭ ଅବକାରୀ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଘଟଣା ଘଟିଛି ଭଦ୍ରକ ପୁରୁଣାବଜାର ଥାନା ଅନ୍ତର୍ଗତ ଚମାର ସାହି ଅଞ୍ଚଳରେ । ବାରମ୍ବାର ଅବକାରୀ ବିଭାଗ ଓ ପୋଲିସ ଚଢ଼ାଉ କରି ମଦ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରୁଛି । ଆଜି ମଧ୍ୟ ଭଦ୍ରକ ଅବକାରୀ ବିଭାଗ ଚମାର ସାହି ଅଞ୍ଚଳକୁ ଯାଇ ମଦ ଜବତ କରିବା ସହ ଦୁଇ ଆସାମୀଙ୍କ ମଧ୍ୟ ଧରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମାଫିଆ ମାନେ ଅବକାରୀ ବିଭାଗର କର୍ମଚାରୀ ମାନଙ୍କୁ ମାଡ଼ ମାରି ମଦ ସହ ଅଭିଯୁକ୍ତ ମାନଙ୍କୁ ଖସାଇ ନେଇଥିଲେ । ଅବକାରୀ ବିଭାଗର କର୍ମଚାରୀଙ୍କୁ ଗାଁରେ ଅଟକ ରଖିଥିଲେ ମାଫିଆ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରିଛି ।