(ଓମ୍ ପ୍ରକାଶ ମିଶ୍ର / ସୋନପୁର):ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ଜଙ୍ଗଲୀ ହାତୀଙ୍କ ଚିନ୍ତା । କାରଣ ସବୁ ବର୍ଷ ଭଳି ଚାଷ ସମୟରେ ଦେଖାଦେଇଛି ଦନ୍ତାହାତୀର ଉପଦ୍ରବ । ଜଙ୍ଗଲ ଛାଡି ବିଭିନ୍ନ ଗାଁ ମାନଙ୍କୁ ମୁହାଁଇଛନ୍ତି ହାତୀପଲ । ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ଖାଇଯାଉଛନ୍ତି ଧାନ ଚାଉଳ । ଗତକାଲି ଉଲୁଣ୍ଡା କୁତମେଣ୍ଡା ଗାଁରେ ହାତୀ ଉପଦ୍ରବରେ ଲୋକଙ୍କ ଘର ଭାଙ୍ଗିବା ସହ ଗୋଟିଏ ପରିବାରର ୨ଜଣ ଆହତ ହୋଇ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଆଉ ଏହି ଘଟଣା ପରେ ଭୟ ଓ ଆଶଙ୍କାରେ ଉଲୁଣ୍ଡା ଅଞ୍ଚଳର ଲୋକେ ।ଭାଙ୍ଗି ଯାଇଛି ଘର । ଏଣେ ତେଣେ ମାଟିତଳେ ଚାପିହୋଇ ରହିଛି ଘର ସାମଗ୍ରୀ । ଏହି ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା କୁତମେଣ୍ଡା ଗାଁର କୃଷ୍ଣ ଝରିଆ ଙ୍କର । ଗତକାଲି ରାତିରେ ଜଙ୍ଗଲି ହାତୀ ଆସି ଘଟାଇଛନ୍ତି ଏଭଳି କାଣ୍ଡ । ରାତି ପ୍ରାୟ ୧୨ ଟା ସମୟରେ ହଠାତ ଗାଁକୁ ୨୦-୨୫ ପଟ ହାତୀ ଚାଲିଆସିଥିଲେ । କୃଷ୍ଣ ନିଜ ପରିବାର ସହ ଘରେ ଶୋଇଥିବାବେଳେ ହାତୀ କୃଷ୍ଣଙ୍କ ଘର ଉପରେ ଆକ୍ରମଣ କରିଥିଲା । ଦନ୍ତାହାତୀଙ୍କ ଆକ୍ରମଣରେ କୄଷ୍ଣଙ୍କ ଘରର ମାଟି କାନ୍ଥ ଭୁଷୁଡି ପଡିଥିଲା । ଫଳରେ କୃଷ୍ଣ ଏବଂ ତାଙ୍କ ନାତି ମାଟିତଳେ ଚାପି ହୋଇ ଯାଇଥିଲେ । ଜୀବନ ବିକଳରେ ପରିବାର ଲୋକ ଏଣେତେଣେ ପଳାୟନ କରିଥିଲେ । ପରେ କୁଦମେଣ୍ଡା ଗାଁ ଲୋକ ମାନଙ୍କ ଠାରୁ ଖବର ପାଇ ଉଲୁଣ୍ଡା ବନ ବିଭାଗ ପକ୍ଷରୁ କୁଦମେଣ୍ଡା ଗାଁ କୁ ଯାଇ ଉଭୟଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଛି ।
ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜଙ୍ଗଲ ଛାଡି ଉଲୁଣ୍ଡା ଅଞ୍ଚଳର ବିଭିନ୍ନ ଗାଁକୁ ମୁହାଁଉଛନ୍ତି । ଏବେ କ୍ଷେତରେ ଧାନ ହୋଇନଥିବାରୁ ଖାଦ୍ୟ ଅନ୍ୱେଷଣରେ ହାତୀପଲ କୄଷ୍ଣଙ୍କ ଘର ଉପରେ ଆକ୍ରମଣ କରିଥିଲେ । ଗରିବ କୄଷ୍ଣଙ୍କ ଘରେ ଥିବା ସବୁତକ ଧାନ ଚାଉଳ ଏବେ ଖାଇଯାଇଛନ୍ତି ହାତୀପଲ । ଏବେ ବାସହରା ହୋଇଛନ୍ତି କୃଷ୍ଣଙ୍କ ପରିବାର । ଏବେ ବନ ବିଭାଗ ପକ୍ଷରୁ ସରକାରୀ ସହାୟତା ଦାବୀ କରାଯାଇଛି ।
ଅପର ପକ୍ଷରେ ଆବେଦନ କଲେ ସରକାର ବିଧିବଦ୍ଧ ବ୍ୟବସ୍ଥା ଭିତରେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଉଲୁଣ୍ଡା ରେଞ୍ଜ ।