ଶୁଦ୍ଧି କ୍ରିୟାକୁ ନେଇ ପୂଜକ ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ

(ପ୍ରଶାନ୍ତ ସ୍ୱାଇଁ /ପାରାଦ୍ୱୀପ): ଶୁଦ୍ଧି କ୍ରିୟା ପୂଜାକୁ ନେଇ ପୂଜକ ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ। ଅନ୍ୟ ପଟେ ଏ ଘଟଣାରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ନେଇ ଥାନା ଅଧିକାରୀଙ୍କ ବିରୋଧରେ ଅନଶନରେ ବସିଛନ୍ତି ପୂଜକ। ଏଭଳି ଘଟଣା ଦେଖିବାକୁ ମିଳିଛି ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ। ଆଜିକୁ ତିନିଦିନ ହେଲା ଆଇଆଇସି ଦୁର୍ବ୍ୟବହାର ପ୍ରତିବାଦରେ ଢିଙ୍କିଆ ଫୁଲଖାଇ ମନ୍ଦିର ପ୍ରାଙ୍ଗଣରେ ଅନଶନରେ ବସିଛନ୍ତି ପୂଜକ ଓ ତାଙ୍କ ପରିବାର। ଅନ୍ୟ ପକ୍ଷରେ କିଛି ଗ୍ରାମବାସୀ ପୂଜକଙ୍କ ବିରୋଧରେ ମଧ୍ୟ ପ୍ରତିବାଦ ସଭା କରିଛନ୍ତି । ଅଭିଯୋଗ ଅନୁଯାୟୀ ଏକ ଶୁଦ୍ଧିକ୍ରିୟା କାର୍ୟ୍ୟ କରିବା ପାଇଁ ପୂଜକ ଅଧିକ ଟଙ୍କା ଦାବି କରିଥିଲେ। ଯାହାକୁ ନେଇ ସେହି ଗ୍ରାମର ସନ୍ତୋଷ କୁମାର ଲେଙ୍କା ଓ ପୂଜକଙ୍କ ମଧ୍ୟରେ ବଚସା ହୋଇଥିଲା। ଘଟଣା ଥାନାକୁ ଯିବା ପରେ, ଅଭୟଚାଦପୁର ଥାନା ପକ୍ଷରୁ ଉଭୟ ପକ୍ଷକୁ ଡକାଯାଇ ଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରିନଥିଲା । ପରେ ପୂଜକ ଗାଁକୁ ଫେରିବା ପରେ ଅଭୟଚାନ୍ଦପୁର ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଆମରଣ ଅନଶନରେ ବସିଛନ୍ତି। ମାତ୍ର ଘଟଣା ସଂପର୍କରେ କିଛି କହିବାକୁ ମନା କରିଛନ୍ତି ଅଭୟଚାନ୍ଦପୁର ଆଇଆଇସି।