ଚାରିଆଡେ ଖଣ୍ଡବିଖଣ୍ଡିତ ମାଂସ ଖଣ୍ଡ

ଭୁବନେଶ୍ୱର: ହଠାତ୍ ଥରିଉଠିଲା ମାଟି । କେହି କିଛି ବୁଝିବା ପୂର୍ବରୁ ଶୁଭିଲା କାନଫଟା ଶବ୍ଦ । ଘଟିଗଲା ବିସ୍ଫୋରଣ । ଯିଏ ଯୁଆଡେ ପାରିଲେ ଧାଇଁଲେ । ବିସ୍ଫୋରଣରେ ମାଟି ଫାଟିଗଲା । ନିଆଁ ଧୁଧୁ ହୋଇ ଉଠିଥିଲା ଆକାଶକୁ । ସମଗ୍ର ଅଞ୍ଚଳରେ ଭରିଯାଇଥିଲା କଳା ଧୂଆଁ ଓ ଧୂଳି । ଆଜି ଏମିତି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଭବନ ନିକଟସ୍ଥ ଇଣ୍ଡିଆଲ ଅଏଲ ପେଟ୍ରୋଲ ପମ୍ପରେ । ମଧ୍ୟାହ୍ନ ପ୍ରାୟ ଏକଟାରେ ପେଟ୍ରୋଲ ପମ୍ପରେ ଘଟିଲା ବିସ୍ଫୋରଣ । ବିସ୍ଫୋରଣ ପରେ ଚାରିଆଡେ ପଡିଥିଲା ପେଟ୍ରୋଲ ପମ୍ପର ଭଗ୍ନାଂଶ । ମାଟି ଭିତରେ କେହି ଶକ୍ତିଶାଳୀ ବିସ୍ଫୋରଣ ପଦାର୍ଥ ଯେମିତି ଖଞ୍ଜିଥିଲା, ମାଟି ଫାଟି ଆଁ କରିଥିଲା । ଚାରିଆଡେ ମାଂସ ଖଣ୍ଡ, ରକ୍ତ ।

ପେଟ୍ରୋଲ ପମ୍ପର କର୍ମଚାରୀ ସକାଳୁ କର୍ମକ୍ଷେତ୍ରକୁ ବାହାରିଥିବେ ଭଗବାନଙ୍କୁ ମୁଣ୍ଡିଆ ମାରି । କେହି ଘରୁ କୌଣସି କାମରେ ବାହାରି ଥିବ । ପୁଣି କେହି ଗାଡିରେ ତେଲ ଭରିବାକୁ ପେଟ୍ରୋଲ ପମ୍ପରେ ପଶିଥିବ । ସମସ୍ତେ ନିଜ ନିଜ ଦୁନିଆରେ ମସଗୁଲ, ଖୁସି । କିନ୍ତୁ ଆଖି ପିଛୁଳାକେ ସବୁକିଛି ବିଗିଡି ଗଲା । କେହି କିଛି ଜାଣିବା ପୂର୍ବରୁ ପେଟ୍ରୋଲ ପମ୍ପର ମାଟିତଳେ ହୋଇଥିଲା କମ୍ପନ । ଭୂମିକମ୍ପ ନା ଚାଇନାର ଆକ୍ରମଣ । କିଛି ଭାବିବା ପୂର୍ବରୁ ବିରୋଟ ବିସ୍ଫୋରଣ ଶବ୍ଦରେ ଥରିଉଠିଥିଲା ପେଟ୍ରୋଲ ପମ୍ପ ଓ ତାର ଆଖପାଖ ଅଞ୍ଚଳ । କେହି କାହାକୁ ଦେଖିନଥିଲେ । ଯାହା ହାତରେ ଯାହା ଥିଲା ସେଠି ଛାହି ଧାଇଁଲେ ସେଠାରୁ । କାହା ଦେହରେ ପଥର ଖଣ୍ଡ ମାଡ ହେଲା, କାହାର ଦେହରେ ନିଆଁର ଛିଟା ପଡିଲା । ଜୀବନ ବିକଳରେ ସମସ୍ତେ ଧାଇଁଥିଲେ ବାହାରକୁ । ବିସ୍ଫୋରଣ ଏବେ ଭୟଙ୍କର ଥିଲା କି କଳ୍ପନାରୁ ଆଇଟିଆର ପର୍ଯ୍ୟନ୍ତ ଶୁଣାଯାଇଥିଲା ଭୟଙ୍କର ଶବ୍ଦ ।

ରାଜଧାନୀର ଛାତି ଉପରେ ହୋଇଥିବା ଏହି ଦୁର୍ଘଟଣାର ଖବର ଅରଣ୍ୟ ନିଆଁ ପରି ବ୍ୟାପିଗଲା ସବୁଆଡେ । ଲୋକେ ଧାଇଁଲେ ଘଟଣାସ୍ଥଳକୁ । ସେଠାରେ ଯାହା ଦେଖିଲେ ସେଥିରେ ଛାତି ଥରୁଯାଉଥିଲା । ପେଟ୍ରୋଲ ପମ୍ପ ଭିତର ଓ ବାହାରେ ଇଟା,ସିମେଣ୍ଟ ଖଣ୍ଡ, ମାଟି ଆଁ କରିଛି ସତେକି ମା ସୀତା ଧରଣୀ ଚିରି ବାହାରିଛନ୍ତି । ଠାଏ ଠାଏ ମାଂଶ ପିଣ୍ଡୁଳା, ରକ୍ତ । କାହାର ହାତ ପାପୁଲି ଛିଣ୍ଡି ରକ୍ତ ଜୁଡୁବୁଡୁ ହୋଇ ପଡିଛି ତ ପୁଣି କାହାର ମୁହଁ ଫାଟି ରକ୍ତାକ୍ତ । କାହାର ଗୋଡ ହାତ ନିଆଁରେ ପୋଡି ଯାଇଛି । କିଛି ନିଆଁରେ ଆହତ ହୋଇଥିବା ବେଳେ କିଛି ଇଟା, ପଥର ମାଡରେ ଖଣ୍ଡିଆ ଖାବରା । ବାହାରେ ତେଲ ଭରୁଥିବା ଲୋକଙ୍କ ଅବସ୍ଥା ଏପରି ତ ଯେଉଁଠି ଗ୍ୟାସ ଭରାଯାଉଥିଲା ସେ ସ୍ଥାନରେ ଥିବା ଲୋକଙ୍କ ଅବସ୍ଥା କଣ ହୋଇଥିବ ଚିନ୍ତା କରିହେଉନି ।