(ସରୋଜ କୁମାର ରାଉତ/ ଭୁବନେଶ୍ୱର): ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହା ଫଳରେ ଟାଙ୍କିରେ ନିଆଁ ଲାଗିଯାଇଛି । ଏଥିରେ ୯ ଜଣ ଆହାତ ହୋଇଛନ୍ତି । ସମସ୍ତ ଆହାତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଥି ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଏସିବି ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ପୁଲିସ ଓ ଓଡ୍ରାଫ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି । କେଉଁ କାରଣରୁ ଟାଙ୍କିରେ ନିଆଁ ଲାଗିଲା ସେ ସମ୍ପର୍କରେ ସବିଶେଷ ଜଣାପଡ଼ି ନଥିବା ବେଳେ ଏଲପିଜି ଟାଙ୍କି ଫାଟିବାରୁ ଏହି ବିସ୍ଫୋରଣ ଘଟିଲା ବୋଲି ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ପ୍ରାୟ ଦିନ ସାଢେ ଗୋଟାଏ ବେଳେ ଉକ୍ତ ପେଟ୍ରୋଲ୍ ଟାଙ୍କିରେ ଏକ ଟ୍ରକରୁ ଏଲପିଜି ସିଲିଣ୍ଡର ଓହ୍ଲା ଯାଉଥିଲା। ଏହି ସମୟରେ ଏକ ବିରାଟ ଶବ୍ଦ ହୋଇ ବିସ୍ଫୋରଣ ଘଟିଥିଲା। ତା’ପରେ ନିଆଁ ଭୟଙ୍କର ଭାବେ ବହୁ ଉଚ୍ଚକୁ ଉଠି ଜଳୁଥିବା ଦେଖାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ପ୍ରଚଣ୍ଡ ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଥରିଉଠିବା ସାଙ୍ଗେ ସାଙ୍ଗେ ଆଖପାଖରେ ଥିବା କିଛି ଘରର କାଚ ଭାଙ୍ଗିବା ସହ ଘରର ଛାତ ଭାଙ୍ଗି ଥିବା ଦେଖିବାକୁ ମିଳିଥିଲା । ଟାଙ୍କିରେ କାମ କରୁଥିବା ଲୋକେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଏହି ଘଟଣା ଘଟିବାବେଳେ ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ ପ୍ରାୟ ୧୦ରୁ ୨୦ ଗ୍ରାହକ ଥିବା କୁହାଯାଉଛି । ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ସ୍ଥିତି ସ୍ପଷ୍ଟ ହେବା ଆଶା କରାଯାଉଛି । ଘଟଣାସ୍ଥଳରେ ଅନେକ ଗାଡ଼ି ଛିନଛତ୍ର ହୋଇ ପଡ଼ିରହିଥିବା ଦେଖାଯାଇଛି ।
ଏହି ନିଆଁ ସମ୍ପର୍କରେ ଖବର ପାଇ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସହ ବହୁ ଉଚ୍ଚ ପଦାଧିକାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। । ଏହା ସହିତ ରାଜଭବନ ରାସ୍ତାକୁ ସିଲ କରିଦିଆଯାଇଛି ।