(ଟୋକିଓ): ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ରହୁ ନଥିବାରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ନିକଟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୁରୁଣା ରୋଗ ଜନିତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗୁଡୁଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଜାପାନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କଲାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ନେବାରେ ଅସୁବିଧା ହୋଇଥାଏ । ଏଣୁ ଏଭଳି ନିଷ୍ପତ୍ତି ନେବା ସମୟରେ ମୁଁ କୌଣସି ପ୍ରକାର ଭୁଲ କରିବାକୁ ଚାହେଁ ନାହିଁ ବୋଲି ସେ ଇସ୍ତଫା ଘୋଷଣା ବେଳେ କହିଛନ୍ତି । ସିଞ୍ଜୋ ଆବେ କାର୍ଯ୍ୟକାଳକୁ ୮ ବର୍ଷ ପୁରିଛି । ତେବେ ଆସନ୍ତାବର୍ଷ ସେପ୍ଟେମ୍ବରରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାର ଥିଲା । କିନ୍ତୁ ତା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।